କଟକ (ଉତ୍କଳ ନ୍ୟୁଜ ) ୧୨-୧୧-୨୦୨୫ : ମାତୃଭୂମି ପାଇଁ ନିଜ ଜୀବନକୁ ଉର୍ସଗୀକୃତ କରିଥିବା ଅନେକ ବରପୁତ୍ର ମାନଙ୍କ ମଧ୍ୟରେ ପଣ୍ଡିତ ଜବାହାରଲାଲ ନେହେରୁ ଅନ୍ୟତମ । ସେ ପରାଧୀନ ଓ ସାଧୀନ ଭାରତ ମଧ୍ୟରେ ଏକ ସେତୁ ସଦୃଶ ଥିଲେ ଓ ସାଧୀନତା ପରବତ୍ତୀ କାଳରେ ଦେଶ ଗଢିବାର କର୍ଣଧାର ସାଜିଥିଲେ । ପିତା ମୋତିଲାଲ୍ ନେହେରୁଙ୍କ ପଦାଙ୍କ ଅନୁକରଣ କରି ସେ ବିଲାତରୁ ସ୍ନାତକ ଡିଗ୍ରୀ ହାସଲ କରି ଜଣେ ଆଇନ୍ଜୀବି ଭାବରେ ଦେଶକୁ ଫେରିଥିଲେ । ଭାରତର ତତ୍କାଳୀନ ସ୍ଥିତି ଦେଖି ସେ ଇଂରେଜ ମାନଙ୍କ ବିରୋଧରେ ସଂଘର୍ଷ କରିବା ପାଇଁ ମନସ୍ଥ କରିଥିଲେ ଓ ପରେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ଭାରତର ସାଧୀନତା ସଂଗ୍ରାମରେ ନିବିଡ ଭାବରେ ଜଡିତ ହୋଇଯାଇଥିଲେ । ୧ ସେ ୧୯୨୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନିଯୁକ୍ତ ହୋଇ ଘୋଷଣା କରିଥିଲେ ଯେ ପୂର୍ଣ ସରାଜ ହେଉଛି କଂଗ୍ରେସର ମୂଳ ଲକ୍ଷ୍ୟ ଏବଂ ପରବର୍ତ୍ତୀ ସମୟରେ ୧୯୩୦ ଜାନୁଆରୀ ୨୬, ତାରିଖକୁ ପୂର୍ଣ ସ୍ୱରାଜ ଦିବସ ଭାବରେ ଘୋଷଣା କରାଯାଇଥିଲା । ସେ ଛଅ ଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତିତ୍ବ କରିଥିଲେ ଏବଂ ତାଙ୍କୁ ଅନେକ ଥର ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା | ୧୯୪୭ ଅଗଷ୍ଟ ୧୫ ରେ ଦେଶ ସାଧୀନତା ହାସଲ କରିବା ପରେ ତାଙ୍କୁ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା । ସେ ଜାଣିଥିଲେ ଯେ ଲୋକଙ୍କ ଆଶା ବହୁତ କିନ୍ତୁ ସମ୍ବଳ ସୀମିତ । ଭାରତ ଗୋଟିଏ କୃଷି ପ୍ରଧାନ ଦେଶ କିନ୍ତୁ ଆଧୁନିକ ଭାରତ ପାଇଁ ଶିଳ୍ପାୟନ ମଧ୍ୟ ଜରୁରୀ ଥିଲା । ତେଣୁ ଫଚବାର୍ଷିକ ଯୋଜନାରେ ଉଭୟ କୃଷି ଓ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆ ଗଲା । ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ବିଶ୍ବର ପ୍ରମୁଖ ଦେଶ ମାନେ ଦୁଇଟି ଚିନ୍ତାଧାରା ଓ ଗୋଷ୍ଠିରେ ବିଭାଜିତ ହେଉଥିଲେ, ସେତେବେଳେ ପଣ୍ଡିତ ନେହେରୁ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ମୂଳଦୁଆ ପକାଇଥିଲେ, କାରଣ ସେ ଜାଣିଥିଲେ ଯେ ଭାରତ ପରି ସଦ୍ୟ ସାଧୀନ ଦେଶ ଯଦି ଶୀତଳ ଯୁଦ୍ଧରେ ସାମିଲ ହେବ ତାହା ତା ପାଇଁ ଆସୁଘାତୀ ହେବ । ପଣ୍ଡିତ ନେହେରୁ ସର୍ବଦା ସାମ୍ପ୍ରଦାୟିକତାକୁ ବିରୋଧ କରୁଥିଲେ ଏବଂ ଧର୍ମନିରପେକ୍ଷତା ଉପରେ ଗୁରୁତ୍ବାରୋପ କରୁଥିଲେ । ସେ ଜାଣିଥିଲେ ଯେ ଭାରତର ଶକ୍ତି ହେଉଛି ବିବିଧତା ମଧ୍ୟରେ ଏକତା । ତାଙ୍କର ପ୍ରଥମ ମନ୍ତ୍ରୀ ମଣ୍ଡଳରେ ମୌଲାନା ଅବୁଲ୍ କାଲାମ୍ ଆଜାଦ୍, ରଫି ଅହମଦ୍ କିଦଓ୍ବାଇ, ଡଃ ଭୀମ ରାଓ ଆମ୍ବେଦକର, ଡଃ ଶ୍ୟାମା ପ୍ରସାଦ୍ ମୁଖାର୍ଜୀ, ଅମ୍ରିତ୍ କୌର, ଜନ୍ ମାଥାଇ ଭଳି ବିବିଧ ପୃଷ୍ଠଭୂମିର ନେତା ସାମିଲ ଥିଲେ । ସାହିତ୍ୟ, କଳା, ସଂସ୍କୃତି, ଭାଷା, ପତ୍ରକାରିତା, ସିନେମା। ଇତ୍ୟାଦି କ୍ଷେତ୍ରରେ ସେ ବୈଜ୍ଞାନିକ ଚିନ୍ତାଧାରା ଏବଂ ଧର୍ମନିରପେକ୍ଷତାର ଦୃଷ୍ଟିକୋଣ ରଖିବାକୁ ପ୍ରୋତ୍ସାହିତ କରୁଥିଲେ । ସେ ହୋମି ଜାହାଙ୍ଗିର ଭାବା ଓ ଶାନ୍ତି ସରୁପ ଭଟ୍ଟନାଗରଙ୍କ ଭଳି ବୈଜ୍ଞାନିକଙ୍କ ସହିତ ମିଶି ଆଧୁନିକ ଭାରତର ବିଜ୍ଞାନ ପ୍ରଯୁକ୍ତିର ମୂଳ ଦୁଆ ପକାଇଥିଲେ ଓ IIT, CSIR, DRDO ଭଳି ଉଚ୍ଚକୋଟୀର ସଂସ୍ଥା ମାନଙ୍କୁ ପ୍ରତିଷ୍ଠା କରିଥିଲେ । ଜଣେ ସଫଳ ରାଜନେତା ସହିତ ସେ ଜଣେ କୁଶଳୀ ଲେଖକ ମଧ୍ୟ ଥିଲେ । Discovery of India , Glimpses of world History An Autobiography ଲେଖିଥିଲେ । ପଣ୍ଡିତ ନେହରୁଙ୍କୁ ତାଙ୍କର କାଶ୍ମୀର ନୀତି ଓ ଭାରତ-ଚୀନ୍ ଯୁଦ୍ଧ ପାଇଁ ଅନେକ ସମାଲୋଚନା କରନ୍ତି । ହେଲେ ତାଙ୍କର କାଯ୍ୟକଳାପକୁ ତତ୍କାଳୀନ ପରିସ୍ଥିତିକୁ ଆଖିରେ ରଖି ବିଶ୍ଳେଷଣ କରାଯିବା ଉଚିତ୍ । ପଣ୍ଡିତ ନେହେରୁ ୧୯୬୪ ମସିହା ମଇ ୨୭ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହା ସହିତ ଆଧୁନିକ ଭାରତ ଇତିହାସର ଏକ ବିରାଟ ଅଧ୍ୟାୟର ଯବନିକା ପଡିଥିଲା । ତାଙ୍କ ଧର୍ମନିରପେକ୍ଷ ଓ ବୈଜ୍ଞାନିକ ବିଚାରଧାରା ଆଧୁନିକ ପିଢି ପାଇଁ ପଥପ୍ରର୍ଦଶକ ହୋଇ ରହିଥିବ । (ଏମ୍ଡି, ଓବୈଦୁଲ୍ଲା)