୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ |

27

କଟକ ( ଉତ୍କଳ ନ୍ୟୁଜ ) ୨୫-୦୨-୨୦୨୬ : ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଆଇଜିପି (ଉତ୍ତରାଞ୍ଚଳ), ଶ୍ରୀ ହିମାଂଶୁ କୁମାର ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ହୋଇଥିବା କମିଶନରେଟ ପୋଲିସ -ଏ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ରନର୍ସ ଅପ୍ ହୋଇଥିବା ଓଏସଏପି ଷଷ୍ଠ ବାଟାଲିୟନ କଟକ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ସୁନ୍ଦରଗଡ଼ ଦଳକୁ ଶ୍ରୀ ଲାଲ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟା ସମୟରେ କମିସନରେଟ (ଏ) ଓ ଷଷ୍ଠ ଓଏସଏପି, କଟକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ କମିସନରେଟ (ଏ) ପୋଲିସ ଦଳ 4-3 ଗୋଲ ବ୍ୟବଧାନରେ ଷଷ୍ଠ ଓଏସଏପି, କଟକକୁ ପରାସ୍ତ କରି ବିଜେତା ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ଚାମ୍ପିୟନସିପ୍‌ର ପ୍ରଥମ ସେମି-ଫାଇନାଲ୍ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳକୁ ୧–୩ ଗୋଲ୍ ବ୍ୟବଧାନରେ ପରାଜିତ କରି ଷଷ୍ଠ ଓଏସଏପି, କଟକ ଦଳ ଫାଇନାଲ୍‌କୁ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମି-ଫାଇନାଲ୍ ମ୍ୟାଚ୍‌ରେ ରାଉରକେଲା ଦଳକୁ ୧–୩ ଗୋଲ୍ ବ୍ୟବଧାନରେ ପରାଜିତ କରି କମିଶନରେଟ୍ (ଏ) ଦଳ ଫାଇନାଲ୍‌ରେ ପହଞ୍ଚିଥିଲା। ଏହି ଚମ୍ପିୟନସିପ୍‌ରେ ବିଭିନ୍ନ ଜିଲ୍ଲା, ବାଟାଲିୟନ ଓ ପୋଲିସ ଏଷ୍ଟାବ୍ଲିସମେଣ୍ଟ ରୁ ୧୪ଟି ପୋଲିସ ଦଳ ଏବଂ ପ୍ରାୟ ୩୨୦ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ଏହି ୧୪ଟି ଦଳକୁ ୪ଟି ପୁଲରେ ବିଭକ୍ତ କରି ମ୍ୟାଚ ଆୟୋଜନ କରାଯାଇଥିଲା। ଚମ୍ପିୟାନସିପରେ ଶ୍ରେଷ୍ଠ ଗୋଲକିପର ଭବେ ରାଉରକେଲା ଜିଲ୍ଲାର ଅର୍ପଣ କାନ୍ଦୁଲ୍‌ନା, ଶ୍ରେଷ୍ଠ ଡିଫେଣ୍ଡର ଭାବେ ସୁନ୍ଦରଗଡ଼ ଜିଲ୍ଲାର ଆକାଶ ଏକ୍କା, ଶ୍ରେଷ୍ଠ ମିଡ୍‌ଫିଲ୍ଡର ଭାବେ ଷଷ୍ଠ ଓଏସଏପି, କଟକର ଉମେଶ କିଷାନ, ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ କମିଶନରେଟ୍ (ଏ) ର ଡେଭିଡ୍ ଡୁଙ୍ଗ୍ ଡୁଙ୍ଗ୍ ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କମିଶନରେଟ୍ (ଏ) ର ଦୀପକ ଟପ୍ପୋଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଇଜିପି ଶ୍ରୀ ହିମାଂଶୁ କୁମାର ଲାଲ ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଆୟୋଜକଗଣ ଏହି ପୋଲିସ ହକି ଚାମ୍ପିଅନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଉଦଯାପନୀ ଉତ୍ସବରେ ଶ୍ରୀ ବ୍ରିଜେଶ ରାୟ, ଡିଆଇଜିପି (ପଶ୍ଚିମାଞ୍ଚଳ), ଶ୍ରୀ ନିତେଶ ୱାଧୱାନୀ , ଏସପି (ରାଉରକେଲା), ଶ୍ରୀମତୀ ଅମ୍ରିତପାଲ କୌର, ଏସପି(ସୁନ୍ଦରଗଡ଼), ଶ୍ରୀ କୁଶଲକର ନିତୀନ ଦାଗୁଡୁ, ଏସପି (କେନ୍ଦୁଝର), ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ, ଏସପି (ଝାରସୁଗୁଡା), ଶ୍ରୀ ଲଳିତ କୁମାର ପାତ୍ର ଡ଼ିଏଫଓ (ବଣାଇ), ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।