କଟକ ( ଉତ୍କଳ ନ୍ୟୁଜ ) ୦୩-୦୨-୨୦୨୬ : ପଞ୍ଜିକରଣ କରିଥିବା ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ସିଧାସଳଖ ଧାନ କିଣିବେ ସରକାର । ଯୋଗାଣ ବିଭାଗ ଏହାର ତଦାରଖ କରିବ ଏବଂ ଜିଲ୍ଲା ପ୍ରଶାସନ ସେସବୁର ସୁବିଧା ଅସୁବିଧାର ସମାଧାନ କରିବ । ମାତ୍ର ସଂପ୍ରତି ଭଦ୍ରକ ଜିଲ୍ଲାର ଜଣେ ଏକାଧିକ ମିଲ୍ର ମାଲିକ ତଥା ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ହାତରେ ବନ୍ଧା ପଡିଛି ଚାଷୀଙ୍କ ଧାନ ବିକ୍ରି । ସେ ଯାହା କହିବେ ତାହାକୁ ଅବମାନନା କଲେ ସଂଘ ଜରିଆରେ ମଣ୍ଡିରୁ ଧାନ ଲିପ୍ଟିଂ ବନ୍ଦ ହେଉଛି । ଏଫଏକ୍ୟୁ ମାନର ଦ୍ୱାହିଦେଇ ଚାଲିଛି ଧାନ କିଣା । କ୍ୱିଣ୍ଟାଲ ପିଛା ୮ କେଜି କଟାଣ ଛଟାଣରେ ଚାଷୀଙ୍କ ହନ୍ତସନ୍ତ କରିବା ଲାଗି ପ୍ରଶାସନ ନିଷ୍ପତି ନେଇଥିବା ବେଳେ ସଂପୃକ୍ତ ମିଲ୍ ମାଲିକ ତଥା ରାଜନେତା ସେଥିରେ ରାଜି ହେଲେନି ଏବଂ ଶେଷରେ ୮.୫ କେଜିରେ ରାଜି ହୋଇଥିବା ଶୁଣିବାକୁ ମିଳୁଛି । ସେଥିରେ ଯଦି କୌଣସି ମଣ୍ଡିର କର୍ମକର୍ତ୍ତା ଅଥବା ଚାଷୀମାନେ ଆପତ୍ତି ଅଭିଯୋଗ କରୁଛନ୍ତି ସେଠାରୁ ଧାନ ଲିପ୍ଟିଂ ବନ୍ଦ ହେଉଛି । କଥା ଆଳରେ ଆଜି ଗାଡିର ନାହିଁ ସୁବିଧା ହେଲେ ପଠାଯିବ ବୋଲି କହୁଛନ୍ତି । ଚାଷୀଙ୍କୁ ମିଳିଥିବା ଟୋକନ୍ର ଅବଧି ଶେଷ ହେବାକୁ ଯାଉଛି । ଟୋକନ୍ ମୁତାବକ ଚାଷୀଙ୍କ ଠାରୁ ମଣ୍ଡିଗୁଡିକ ଧାନ କିଣୁଛି ହେଲେ ମିଲ୍ ମାଲିକ ପକ୍ଷରୁ ଲିପ୍ଟିଂ ନହେବାରୁ ହଜାର ହଜାର ବସ୍ତା ମଣ୍ଡିରେ ପଡି ରହୁଛି । ପାଣିପାଗ କେତେବେଳେ କଣ ହେବ ସେ କଥା କେହି କହି ପାରିବେ ନାହିଁ । ମଣ୍ଡିରେ ଅଧିକ ଷ୍ଟକ୍ ହେବାରୁ ସେଠାକାର କର୍ମକର୍ତ୍ତା ଆଉ ଧାନ କିଣୁନି । ସେପଟେ ଟୋକନ୍ ଅବଧି ସରିଯିବା ଭୟରେ ଚାଷୀ ହୋହାଲ୍ଲା କରୁଛି । ପ୍ରଶାସନିକ କଟକଣା ମାନିବାକୁ ନାରାଜ ଜିଲ୍ଲାର ମିଲ୍ ମାଲିକ । ଇଛା ହେଲେ ଧାନ ନେଉଛି ଆଉ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଲେ ଗାଡିର ଅଭାବ ବାହାନା ଦେଖାଇ ଟାଳି ଚାଲୁଛନ୍ତି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅନ୍ୟ ଜିଲ୍ଲା ତୁଳନାରେ ଭଦ୍ରକ ଜିଲ୍ଲାରେ ଧାନ କିଣା ବହୁ ଗୁଣରେ କମ୍ ରହିଛି । ତେବେ କେବେ ଧାନ ବିକିବ ଆଉ କେବେ ବରଷକର ଉପାର୍ଜିତ ଅମଳ ଟଙ୍କା ପାଇବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଜାଣି ପାରୁନି ଚାଷୀ । ଅନ୍ୟପଟେ ଚାଷୀ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ଟଙ୍କା ପାଇବ ବୋଲି ସରକାର ଡିଣ୍ଡିମ ପିଟୁଥିଲେ ହେଲେ ସପ୍ତାହକୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଅଧିକାଂଶ ଜମା ଖାତାକୁ ଟଙ୍କା ଆସିନଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ମିଲ୍ ମାଲିକ ମଣ୍ଡିରୁ ଧାନ ଲିପ୍ଟିଂ କରିବା ପରେ ଚାଷୀଙ୍କ ଟଙ୍କା ମିଳିବା କଥା ହେଲେ ତାହା ସମ୍ଭବ ହୋଇ ପାରୁନି । ଏସବୁ ଥିଲା ଟୋକନ୍ ପାଇଥିବା ଚାଷୀଙ୍କ ସମସ୍ୟା ହେଲେ ଯେଉଁମାନେ ଟୋକନ୍ ପାଇ ନାହିଁନ୍ତି ସେମାନଙ୍କ ଦୁଃଖ ଲାଘବ କେବେ ହେବ ତାହା କହିବା ବାହୁଲ୍ୟ । ରାତି ପାହିଲେ ମଣ୍ଡିରେ ଧାଡି ଲଗାଉଛନ୍ତି ସେହି ଚାଷୀମାନେ । ସେପଟେ ମଣ୍ଡିର କର୍ମକର୍ତ୍ତା କହୁଛନ୍ତି ତାହା “ଆମ ହାତରେ ନାହିଁ” । ମାତ୍ର ଯୋଗାଣ ବିଭାଗର ନିଦ ଭାଙ୍ଗୁନି । କେଉଁ କାରଣରୁ ଚାଷୀଙ୍କ ପଞ୍ଜିକରଣରେ ରୋକ୍ ଲାଗିଛ ତାହା ମଧ୍ୟ ସ୍ପଷ୍ଟ କରୁ ନାହିଁନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀଟିଏ ଏବେ ଚିନ୍ତାରେ । ଧାନ କେଉଁଠି ବିକିବ ଆଉ କେତେ ଟଙ୍କା ପାଇବ । ଦଲାଲ ମାଧ୍ୟମରେ ବିକିଲେ ୧୭ ଶହ ଟଙ୍କାରୁ ୧୮ ଶହ ଟଙ୍କା ପାଇବ । ଏସବୁ ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ତତ୍ପର ହେଉଥିବା ଜଣା ଯାଉନାହିଁ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ବିିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |