ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ୫୪ତମ ଜାତୀୟ ସୁରକ୍ଷା ଦିବସ ପାଳନ |

112

କଟକ (ଉତ୍କଳ ନ୍ୟୁଜ ) ୫-୦୩-୨୦୨୫ ଚୌଦ୍ୱାର ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ୫୪ତମ ଜାତୀୟ ସୁରକ୍ଷା ସପ୍ତାହ ଗତ ମଙ୍ଗଳବାରରୁ ପାଳନ ହେଉଅଛି। ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ କମ୍ପାନୀର ଉପସଭାପତି ଶ୍ରୀ ବିନୟ ଅଗ୍ରୱାଲା ଜାତୀୟ ସୁରକ୍ଷା ପତକା ଉଦ୍ଘାଟନ କରି କାରଖାନା ଭିତରେ ଦୈନନ୍ଦିନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଏବଂ ନିତିଦିନିଆ ଜୀବନରେ ସୁରକ୍ଷାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ କହିବା ସହ ପ୍ରତ୍ୟେକ ଦ୍ୱାୟିତ୍ୱବାନ କର୍ମଚାରୀ ଭାବେ ନିଜ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ ପ୍ରତି ଧ୍ୟାନଦେବା, ନିଷ୍ଠାର ସହ କରିବା, କାର୍ଯ୍ୟରେ କୌଣସି ତ୍ରୁଟିକୁ ପ୍ରଶୟ ନଦେବା ପାଇଁ କହିଥିଲେ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରି ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ଓଡ଼ିଆ ଭାଷାରେ ସୁରକ୍ଷା ଶପଥ ପାଠ କରାଇଥିଲେ।

କମ୍ପାନୀର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ସୁରକ୍ଷା, ସ୍ୱାସ୍ଥ ଏବଂ ପରିବେଶ ସମ୍ପର୍କିତ ବିଭିନ୍ନ ମହତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବା ସହ ଇମ୍ଫା ଚୌଦ୍ୱାରରେ ଅନୁସରଣ ହୋଇଥିବା ସୁରକ୍ଷା ପ୍ରବନ୍ଧନ ବିଷୟରେ ଚିନ୍ତନ ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ସୁରକ୍ଷା ବ୍ୟାଜ ଲଗାଯାଇଥିଲା ଏବଂ ଶେଷରେ ମାନବସମ୍ବଳ ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଦେବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସୁରକ୍ଷା ବିଭାଗର ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ସୁବୁଦ୍ଧିରାୟ ପରିଚାଳନା କରିଥିଲେ।