ଚାଷଜମିରୁ ପାଣି ନିଷ୍କାସନ ଦାବିରେ ଆରଆଇଙ୍କ ଅଫିସ ଆଗରେ ଚାଷୀଙ୍କ ଆମରଣ ଅନଶନ।

312

କଟକ (ଉତ୍କଳ ନ୍ୟୁଜ) ୧୧-୧୨-୨୦୨୧ : ଭଦ୍ରକ ଜିଲ୍ଲା ଗୋପିନାଥପୁର ପଞ୍ଚାୟତ ଅଧିନ ବିରିଆଡିଆ ଓ କୁଳିଆଡିଆ ଗାଁର ଚାଷଜମିରୁ ପାଣି ନିଷ୍କାସନ ଦାବିରେ ଆରଆଇଙ୍କ ଅଫିସ ଆଗରେ ଦୁଇଦିନ ହେଲା ଚାଷୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଥିବା ଜଣାଯାଇଛି। ବାତ୍ୟା ଜୱାଦ ଜନିତ ୩ଦିନ ଧରି ଲଗାଣ ବର୍ଷାରେ ଚାଷ ଜମିରେ ବର୍ଷାଜଳ ଜମି ରହିଛି। ଏହି ବର୍ଷାଜଳ କଟାଯାଇ ଥିବା ଧାନ ବିଲରେ ଭାସୁଥିବା ବେଳେ ଏହା ନିଷ୍କାସିତ ହେବାପାଇଁ କୌଣସି ବାଟ ନଥିବା ଅଭିଯୋଗ ହୋଇଛି। ବର୍ଷା ଜଳ ନିଷ୍କାସନର ମାଧ୍ୟମ ଥିବା କେନାଲକୁ ଗ୍ରାମରେ କିଛି ଲୋକ ଆବନ୍ଦ କରିଥିବା ମଧ୍ଯ ଅଭିଯୋଗ ହୋଇଛି। ଏହି ଗାଁର ଜଣେ ବ୍ୟକ୍ତି ନିଜ ଘର ଆଗରେ ଯାତାୟତ କରିବା ପାଇଁ ରାସ୍ତାରେ ଦୁଇଟି ସୁଠ ପକାଇ ଥିବାରୁ ବର୍ଷା ପାଣି ନିଷ୍କାସନ ସଠିକ୍ ଭାବେ ହେଉନଥିବା ଅଭିଯୋଗ କରିବା ସହିତ ଚାଷୀମାନେ ଜିଲ୍ଲାପାଳ,ଚାନ୍ଦବାଲି ତହସିଲଦାର ଏବଂ ଘଣ୍ଟେଶ୍ୱର ରାଜଶ୍ୱ ନିରୀକ୍ଷକଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ଦାବି କରିଥିଲେ। ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଆଜିର ଦିନରେ ଚାଷୀ ଏପରି ଦୁର୍ଦ୍ଦଶା ଭୋଗୁଥିବା କୁହାଯାଇଛି। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦିଆ ଯାଇଛି। ଅପରପକ୍ଷେ ଅଭିଯୋଗକୁ ଖଣ୍ଡନ କରିବା ସହିତ ପାଣି ନିଷ୍କାସନରେ କୌଣସି ଅସୁବିଧା ନଥିବା କହିଛନ୍ତି ଅପରପକ୍ଷ। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |