କଟକ ( ଉତ୍କଳ ନ୍ୟୁଜ ) ୨୦-୦୭-୨୦୨୬: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଅନ୍ତର୍ଗତ ଓରାଳି ଗ୍ରାମର ଜଣେ ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଉମାକାନ୍ତ ବେହେରା (୫୬) । ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ଉମାକାନ୍ତ ଓ ତାଙ୍କ ସାନଭାଇ ରାଧାକାନ୍ତ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ସେଠାରେ ଉମାକାନ୍ତଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା । ସେ ସଂଗେ ସଂଗେ ତାଙ୍କ ସାନଭାଇଙ୍କୁ ଜଣାଇବା ପରେ ଅଚେତ ହରାଇ ନିଜ ଖେତରେ ପଡି ଯାଇଥିଲେ । ତାଙ୍କ ସାନ ଭାଇ ରାଧାକାନ୍ତ ସଂଗେ ସଂଗେ ଗ୍ରାମବାସୀଙ୍କ ଜରିଆରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ଡିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ସାନ ଭାଇ ରାଧାକାନ୍ତ ବେହେରା ତିହିଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତିହିଡ଼ି ଥାନା କେସ୍ ନଂ. ୩୦/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶେଷରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କର ଏକମାତ୍ର ପୁଅ ଶ୍ରୀଧର ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କର ପତ୍ନୀ ସେବତୀ ବେହେରା, ତିନି ଝିଅ ଅସୀମା, ସୁଷମା ଓ ସୁରମା, ଜ୍ୱାଇଁ ମନୋଜ ଓ ବାଦଲ, ନାତିନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ଉମାକାନ୍ତଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ିଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |