କଟକ,(ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୬ : କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ପୂର୍ବାହ୍ନରେ ମାନ୍ୟବର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ପାନୀୟ ଜଳ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପରମହଂସ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜୀବିକା ବୃଦ୍ଧି, ଆର୍ଥିକ ସଶକ୍ତିକରଣ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ବ୍ଲକ ପ୍ରକଳ୍ପ ପରିଚାଳକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକରୁ ଅଧିକ ସରକାରୀ ସହାୟତା ଯୋଗାଇଦେବାକୁ ମାନ୍ୟବର ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀ ମାନଙ୍କର ରାସନ୍ କାର୍ଡ ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ତ୍ଵରିତ ସମାଧାନ କରିବାକୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ, ମରାମତି କାର୍ଯ୍ୟ, ଶିକ୍ଷକ ପଦବୀ ପୂରଣ ସମ୍ପର୍କରେ ଆଲୋଚନା କରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବିଭିନ୍ନ ଜଳସେଚନ ପ୍ରକଳ୍ପ, ସରକାରୀ କୋଠା ନିର୍ମାଣ ଓ ରାସ୍ତା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ ଦାସ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ଅଧାରେ ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ନୂତନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ, କଟକ ସଦର ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ,ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦେଶକ ବିଶ୍ଵରଞ୍ଜନ ଦାଶ ଏବଂ ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ସୁଶ୍ରୀ ସଂଗୀତା ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।