କଟକ ( ଉତ୍କଳ ନ୍ୟୁଜ ) ୧୭-୦୭-୨୦୨୬: ଟାଙ୍ଗୀ ଥାନାରେ ଏତଲା ଅନୁଯାୟୀ, ତାରିଖ ୧୬.୦୭.୨୦୨୬ ସନ୍ଧ୍ୟାରେ ପାଟ୍ରୋଲିଂ ଡ୍ୟୁଟି ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ JH-10-AV-8616 ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ୍ରେ ଝାଡ଼ଖଣ୍ଡରୁ ଆସିଥିବା ହାର୍ଡ କୋକ୍ ବୈଧ କାଗଜପତ୍ର ବିନା ବିଲିତେରୁଆ ଗ୍ରାମରେ ବେଆଇନ ଭାବେ ଖାଲି କରାଯାଉଛି। ସୂଚନା ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହାବୀର ୱେ-ବ୍ରିଜ୍ ନିକଟରେ ଉକ୍ତ ଟ୍ରକ୍ଟିକୁ ବିଜୟ କୁମାର ସାହୁଙ୍କ ଘରେ ହାର୍ଡ କୋକ୍ ଖାଲି କରୁଥିବା ଅବସ୍ଥାରେ ଧରିଥିଲା। ଯାଞ୍ଚ ବେଳେ ଟ୍ରକ୍ର ଚାଳକ ଓ ମାଲିକଙ୍କୁ ଇନଭଏସ୍, ଇ-ୱେ ବିଲ୍, GST ସମ୍ବନ୍ଧୀୟ କାଗଜପତ୍ର, ଟ୍ରାନ୍ଜିଟ୍ ପରମିଟ୍ କିମ୍ବା ଅନ୍ୟ କୌଣସି ବୈଧ ଦଲିଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନେ କୌଣସି ବୈଧ ଦଲିଲ ଦେଖାଇପାରି ନଥିଲେ। ଏହାପରେ ପୁଲିସ ଉକ୍ତ ଆଇଚର ଟ୍ରକ୍ ସହ ପ୍ରାୟ ୨୪ ମେଟ୍ରିକ ଟନ୍ ହାର୍ଡ କୋକ୍, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ₹୩,୦୦,୦୦୦/-, ଆଇନାନୁସାରେ ଜବତ କରିଥିଲା। ତଦନ୍ତରୁ ନିମ୍ନଲିଖିତ ଦୁଇଜଣଙ୍କ ବିରୁଦ୍ଧରେ ପ୍ରଥମ ଦୃଷ୍ଟିରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିଲା | ବିଜୟ କୁମାର ସାହୁ (୬୫), ପିତା-ସ୍ୱର୍ଗତ ରଥ ସାହୁ, ମୂଳ ଗ୍ରାମ-ଜୟପୁର, ଥାନା-ତିର୍ତ୍ତୋଳ, ଜିଲ୍ଲା-ଜଗତସିଂହପୁର, ବର୍ତ୍ତମାନ ବାସିନ୍ଦା-ତେରୁଆଁ, ଥାନା-ଟାଙ୍ଗୀ, ଜିଲ୍ଲା-କଟକ (ମାଲିକ)। ସଞ୍ଜୟ କୁମାର ସିଂହ (୩୨), ପିତା-ଭେଙ୍ଗୁରାମ ସିଂହ, ଗ୍ରାମ-ଭିଖାନିଧି, ଥାନା-ଟୋପଚାଞ୍ଚି, ଜିଲ୍ଲା-ଧନବାଦ, ଝାଡ଼ଖଣ୍ଡ (ଚାଳକ)। ଲିଖିତ ଏତଲା ଆଧାରରେ ଟାଙ୍ଗୀ ଥାନା କେସ୍ ନଂ-୩୭୦, ତାରିଖ-୧୬.୦୭.୨୦୨୬, ଧାରା ୩୦୩(୨)/୩୧୭(୨)/୩(୫) ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ରେ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ତାରିଖ ୧୭.୦୭.୨୦୨୬ ରେ ଆଇନାନୁସାରେ ଗିରଫ କରାଯାଇ ମାନ୍ୟବର ନ୍ୟାୟାଳୟଙ୍କ ନିକଟରେ ଜୁଡିସିଆଲ୍ କଷ୍ଟଡି ପାଇଁ ପ୍ରାର୍ଥନା ସହ ହାଜର କରାଯାଇଛି। ଘଟଣାର ସମ୍ପୂର୍ଣ୍ଣ ଉତ୍ସ, ଜବତ ହାର୍ଡ କୋକ୍ର ବୈଧତା, ପରିବହନ ସମ୍ବନ୍ଧୀୟ ଦଲିଲପତ୍ରର ସତ୍ୟତା ଏବଂ ଏହି ବେଆଇନ କାରବାରରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ସମ୍ବନ୍ଧରେ ତଦନ୍ତ ଜାରି ରହିଛି।