କଟକ ( ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୬: ଚାଉଳିଆଗଞ୍ଜ ଥାନାର ପୂର୍ବତନ ଅଧିକାରୀ ବିୟୁଟି ମହାନ୍ତିଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଚାଉଳିଆଗଞ୍ଜ ପୂଜା କମିଟି ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଭାବପୂର୍ଣ୍ଣ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ଶୋକସଭାରେ ଉପସ୍ଥିତ ଅତିଥି ଓ ଜନସାଧାରଣ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ପୁଲିସ ସେବାରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ସ୍ଥାନୀୟ ଅଞ୍ଚଳରେ ତାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ସମସ୍ତେ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଜଣେ ଦକ୍ଷ ଏବଂ ଜନପ୍ରିୟ ପୁଲିସ ଅଧିକାରୀ ଭାବେ ସେ ସଦାସର୍ବଦା ସ୍ମରଣୀୟ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ କମିଶନରେଟ୍ ଅଧିନରେ ଥିବା ସମସ୍ତ ଥାନାର ବରିଷ୍ଠ ଥାନା ଅଧିକାରୀ ସମେତ ୬ ଗୋଟି ଜୋନ୍ ଏସିପି ଏବଂ ଏଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ସହିତ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଚାଉଳିଆଗଞ୍ଜ ପୂଜା କମିଟିର ସଭାପତି ଦେବେନ୍ଦ୍ର ପାତ୍ର ସମ୍ପାଦକ ନିରଞ୍ଜନ ସାହୁ ସହିତ ଚାଉଳିଆଗଞ୍ଜ ଅଞ୍ଚଳର ଅଧିବାସୀମାନେ ଉପସ୍ଥିତ ରହି ସ୍ବର୍ଗତ ବିୟୁଟି ମହାନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।"ସ୍ୱର୍ଗତ ବିୟୁଟି ମହାନ୍ତିଙ୍କ ବିୟୋଗ କେବଳ ପୁଲିସ ବିଭାଗ ପାଇଁ ନୁହେଁ, ବରଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି।" ଏହି ଶୋକସଭାରେ ଚାଉଳିଆଗଞ୍ଜ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ବିଶାଳ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।