ଭାରତର ଗର୍ବ ଆକାଶ ରଞ୍ଜନ ମୁଣ୍ଡଙ୍କୁ ଜୁନାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା l

67

କଟକ (ଉତ୍କଳ ନ୍ୟୁଜ ) ୧୦-୦୭-୨୦୨୬ : ଭାରତର ଗର୍ବ ତଥା କଳାହାଣ୍ଡିର ସୁଯୋଗ୍ୟ ସନ୍ତାନ, ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ଶୁକ୍ରବାର ଜୁନାଗଡ଼ରେ ଜୁନାଗଡ଼ ବ୍ରାହ୍ମଣ ସମାଜ, ଶାଇନିଂ କିଡ୍ସ ୱାର୍ଲ୍ଡ ସ୍କୁଲ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।ଗୋଟିଏ ଗୋଡ଼ ନଥିଲେ ମଧ୍ୟ ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଏବଂ ଅସାଧାରଣ ସାହସ ବଳରେ ଆକାଶ ରଞ୍ଜନ ମୁଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ବିଶ୍ୱ ମଞ୍ଚରେ ତ୍ରିରଙ୍ଗାକୁ ଗର୍ବର ସହ ଉଡ଼ାଇଥିବା ତାଙ୍କ ଏହି ସଫଳତା କଳାହାଣ୍ଡି ସମେତ ସମଗ୍ର ଦେଶ ପାଇଁ ଗର୍ବ ଓ ପ୍ରେରଣାର ବିଷୟ ପାଲଟିଛି।ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ କହିଥିଲେ ଯେ, ଶରୀରର କୌଣସି ଅଭାବ କେବେ ମଧ୍ୟ ସ୍ୱପ୍ନ ପୂରଣରେ ବାଧକ ହୋଇପାରେ ନାହିଁ। ଦୃଢ଼ ମନୋବଳ, ଅକ୍ଳାନ୍ତ ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରେ। ଆକାଶ ରଞ୍ଜନ ମୁଣ୍ଡଙ୍କ ସଂଘର୍ଷମୟ ଜୀବନ ଏବଂ ଉଲ୍ଲେଖନୀୟ ସଫଳତା ଆଜିର ଯୁବପିଢ଼ି ପାଇଁ ଏକ ଜୀବନ୍ତ ପ୍ରେରଣା ବୋଲି ସେମାନେ ମତ ପ୍ରକାଶ କରିଥିଲେ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଶାଇନିଂ କିଡ୍ସ ୱାର୍ଲ୍ଡ ସ୍କୁଲ ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲ ପରିଚାଲାନା ନିର୍ଦ୍ଦେଶକ ପ୍ରବୀର ଗୋଏଲ, ସ୍କୁଲ ଅଧ୍ୟକ୍ଷ ଶୁଶାନ୍ତ ଦଣ୍ଡସେନା, ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଜୁନାଗଡ଼ ବ୍ରାହ୍ମଣ ସମାଜର ସଭାପତି ଶାନ୍ତନୁ ଯୋଶୀ, ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ପ୍ରଭାତ ଦାଶ, କୋଷାଧ୍ୟକ୍ଷ କୁବିଲେଶ୍ୱର ପାଣିଗ୍ରାହୀ, ସାଧାରଣ ସମ୍ପାଦକ କାଳିଆ ପାଣିଗ୍ରାହୀ, ବିଜୟ ପାଢ଼ି, ନବକିଶୋର ବେହେରା, ବିନୋଦ ପାଢ଼ି, ପ୍ରୀତମ ପଣ୍ଡା, ମୁରାରୀ ଶର୍ମା, ଓମ୍ ଶର୍ମା, ବିଦ୍ୟା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ଅତିଥିମାନେ ଆକାଶ ରଞ୍ଜନ ମୁଣ୍ଡଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ଅନେକ ଆନ୍ତର୍ଜାତୀୟ ସଫଳତା ହାସଲ କରି ଦେଶ ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l