କଟକ ( ଉତ୍କଳ ନ୍ୟୁଜ ). ୭-୦୭-୨୦୨୬ : ନୟାଗଡ଼ ସଦର ଥାନା ଅନ୍ତର୍ଗତ ଚାହାଳୀ ପଞ୍ଚାୟତର ଡାଳିମ୍ବମଡ଼ା (Dalimbamada) ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ପରେ ବର୍ତ୍ତମାନ ସେଠାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି ।ଜମି ବିବାଦକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଆଉ ତା ପରେ ଜଣେ ନିରୀହ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅଭିମନ୍ୟୁ ସାହୁଙ୍କୁ ଅତି ବର୍ବର ଭାବେ ପିଟିପିଟି ହତ୍ୟା କରିବା ପରେ, ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ବସ୍ତାରେ ବାନ୍ଧି ଦାହୁକା ନଦୀକୁ ଫିଙ୍ଗି ଦିଆଯାଇଥିଲା। ତେବେ ଡାଳିମ୍ବମଡ଼ା ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ପୁରୁଷ ଶୂନ୍ୟ ହୋଇଯାଇଛି। ପୋଲିସ ଆକ୍ସନ ଏବଂ ଗିରଫଦାରୀ ଭୟରେ ଗାଁର ସମସ୍ତ ପୁରୁଷ ଲୋକ ଏବେ ଫେରାର୍ ଅଛନ୍ତି। ସେପଟେ ପୋଲିସ ତଦନ୍ତକୁ ଜୋରଦାର କରି ବର୍ତ୍ତମାନ ସୁଦ୍ଧା ୮ ଜଣ ସନ୍ଦେହୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ରକ୍ତଭିଜା ଲୁହା ରଡ୍ ଓ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମଧ୍ୟ ଜବତ ହୋଇଛି।ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପରିବାର କେବଳ ଗୋଟିଏ ଦାବିରେ ଅଛନ୍ତି— ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧରମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ଏବଂ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ। ନୟାଗଡ଼ ରୁ ପ୍ରକାଶ କୁମାର ନାୟକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |