କଟକ ( ଉତ୍କଳ ନ୍ୟୁଜ ).୦୧ -୦୭-୨୦୨୬ : ଭାରତ ସରକାରଙ୍କ "ନିଶା ମୁକ୍ତ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ତା. ୦୧.୦୭.୨୦୨୬ ରିଖରେ ଟାଙ୍ଗୀ ଥାନା ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଟାଙ୍ଗୀ ଥାନାର ଭାରପ୍ରାପ୍ତ ଅଧିକାରୀ ବିକାଶ କୁମାର ସେଠୀଙ୍କ ସଭାପତିତ୍ୱରେ ଏବଂ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଟାଙ୍ଗୀ ଥାନା, ଡ୍ରିମ୍ସ ଆଉଟପୋଷ୍ଟ, ବିଶ୍ୱାଳୀ ଫାଣ୍ଡି , ଏନଏଚ୍ ପାଟ୍ରୋଲିଂ ୟୁନିଟ୍ର ପୋଲିସ ଅଧିକାରୀ ଓ କର୍ମଚାରୀ, ହୋମଗାର୍ଡ, ସ୍ଥାନୀୟ ଜନସାଧାରଣ, ଯୁବବର୍ଗ ଏବଂ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏସଡିପିଓ ଶ୍ରୀ ଉମାକାନ୍ତ ନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ନିଶା ସେବନ କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନୁହେଁ, ପରିବାର ଓ ସମାଜକୁ ମଧ୍ୟ ଧ୍ୱଂସ ଆଡକୁ ନେଇଯାଏ। ନିଶା ବିରୋଧୀ ଅଭିଯାନକୁ ସଫଳ କରିବା ପାଇଁ ପୋଲିସ ସହିତ ଜନସାଧାରଣ, ଅଭିଭାବକ, ଶିକ୍ଷକ ଏବଂ ଯୁବପିଢ଼ୀଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିକାଶ କୁମାର ସେଠୀ ଉପସ୍ଥିତ ସମସ୍ତଙ୍କୁ ନିଶା ଦ୍ରବ୍ୟ ଓ ମାଦକ ସାମଗ୍ରୀଠାରୁ ଦୂରେଇ ରହିବା ସହ ନିଜ ପରିବାର ଓ ସମାଜକୁ ସଚେତନ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ, ଟାଙ୍ଗୀ ପୋଲିସ ମାଦକ ଦ୍ରବ୍ୟର ବେଆଇନ କାରବାର ଓ ସେବନ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ "ନିଶା ମୁକ୍ତ ସମାଜ ଗଠନ" ନିମନ୍ତେ ଶପଥ ପାଠ କରାଯାଇଥିଲା ଏବଂ ସମସ୍ତେ ନିଶାମୁକ୍ତ ଭାରତ ଗଠନରେ ସହଯୋଗ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।