ବ୍ରିଜ୍ ଓ ରୋଡ଼ ସର୍ଭେ ବେଳେ ମନ୍ତେଇ ନଦୀରେ ଅଘଟଣ, ଦୁଇ ଉଦ୍ଧାର ଜଣେ ନିଖୋଜ।

184

କଟକ ( ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୬ : ଭଦ୍ରକ ଜିଲ୍ଲା ମନ୍ତେଇ ନଦୀ ବାଲିଆପାଳ ଠାରେ ପ୍ରସ୍ତାବିତ ବ୍ରିଜ ନିର୍ମାଣ ପାଇଁ ରୋଡ଼ ଏବଂ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ଏକ ଦୁଃଖଦ ଘଟଣା ସାମନା ଆସିଛି। ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରା ଯାଇଥିବା ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ତିନି ଜଣ ଯୁବକ ପାଣିରେ ପଡ଼ି ଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ତତ୍ପରତାରେ ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇ ଯାଇଥିବା ଜଣାଯାଇଛି।

ନିଖୋଜ ଯୁବକ ଜଣକ ବାଂଶଡା ଥାନା ଅଧିନ ଯଶିପୁର ଗ୍ରାମର ଚକ୍ରଧର ବେହେରାଙ୍କ ଏକମାତ୍ର ପୁଅ ବିଜୟ ବେହେରା ବୋଲି ଜଣାଯାଇଛି। ଖବର ପାଇ ଘଣ୍ଟେଶ୍ୱର ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ବୋଟ ଅଚଳ ହୋଇ ଯାଇଥିବା ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ବ୍ରିଜ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅସ୍ଥାୟୀ ଡଙ୍ଗା ବ୍ୟବହାର ସମୟରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଓ ଲାଇଫ୍ ଜ୍ୟାକେଟ୍ ବ୍ୟବସ୍ଥା ଥିଲା କି ନାହିଁ, ତାହାର ତଦନ୍ତ ଦାବି କରା ଯାଇଛି। ନିଖୋଜ ଯୁବକଙ୍କ ସନ୍ଧାନ ଜାରି ରହିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।