ଜୁନାଗଡ଼-୧ ନମ୍ବର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ବ୍ୟବସାୟୀ ସଂଘ ପକ୍ଷରୁ ସ୍ମାରକପତ୍ର l

34

କଟକ (ଉତ୍କଳ ନ୍ୟୁଜ ) ୦୬-୦୬-୨୦୨୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଅବସ୍ଥିତ ଜୁନାଗଡ଼-୧ ଅଫ୍‌ ଲିକର ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଜୁନାଗଡ଼ ବ୍ୟବସାୟୀ ସଂଘ ପକ୍ଷରୁ ଜିଲ୍ଲା ଏକ୍ସସାଇଜ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ମୁକେଶ ଅଗ୍ରୱାଲ ଓ ସମ୍ପାଦକ ପ୍ରଭାତ କୁମାର ଦାଶ ଜୁନାଗଡ଼ ଏକ୍ସସାଇଜ ଇନ୍ସପେକ୍ଟରଙ୍କ ଜରିଆରେ ଏହି ସ୍ମାରକପତ୍ର ଦାଖଲ କରିଥିଲେ।ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଉକ୍ତ ମଦ ଦୋକାନ ନୂତନ ବସ୍‌ଷ୍ଟାଣ୍ଡ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଥିବାରୁ ସ୍ଥାନୀୟ ବ୍ୟବସାୟୀ, ଯାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନ ନିକଟରେ ମା’ ଲଙ୍କେଶ୍ୱରୀ ମନ୍ଦିର ଥିବାରୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତଙ୍କ ଯାତାୟାତ ହେଉଥିବା ବେଳେ ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କର ନିୟମିତ ଯାତାୟାତ ମଧ୍ୟ ରହିଛି। ଏହାସହ ମଦ ଦୋକାନ ଗୋଟିଏ କାନ୍ଥ କୁ ଲାଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ମଧ୍ୟ ଅବସ୍ଥିତ ଅଛି।

ସଂଘ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଦୋକାନଟି ଜାତୀୟ ରାଜପଥ-୨୬ କଡ଼ରେ ଥିବାରୁ ସେହି ଅଞ୍ଚଳରେ ସର୍ବଦା ଭାରି ଯାନବାହନ ଚଳାଚଳ କରୁଛି। ଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଥିବା ସହ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏଭଳି ଜନବହୁଳ ଓ ସମ୍ବେଦନଶୀଳ ସ୍ଥାନରେ ମଦ ଦୋକାନ ରହିବା ଦ୍ୱାରା ସାମାଜିକ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡ଼ୁଥିବା ବୋଲି ସଂଘ ମତ ପ୍ରକାଶ କରିଛି। ଜନସ୍ୱାର୍ଥ, ଜନସୁରକ୍ଷା ଓ ସାମାଜିକ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜୁନାଗଡ଼-୧ ଅଫ୍‌ ଲିକର ଦୋକାନକୁ ବର୍ତ୍ତମାନ ସ୍ଥାନରୁ ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନଙ୍କୁ ଦୃଢ଼ ଦାବି କରାଯାଇଛି।