ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ଵାର ଅଞ୍ଚଳରେ ୩୩ଟି ବୃହତ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ |
ଚୌଦ୍ଵାର ( ଉ. ସୂ. ପ୍ର ) ଇମ୍ଫା ଶିଳ୍ପ ଗୋଷ୍ଠୀ ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଆଜି ଚୌଦ୍ଵାର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବିଭିନ୍ନ ସି.ଏସ.ଆର (CSR) ପ୍ରକଳ୍ପର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଅଛି।ଏହି ଅବସରରେ କଟକର ମାନ୍ୟବର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସମସ୍ତ ପ୍ରକଳ୍ପଗୁଡ଼ିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ଇମ୍ଫା ଓ ବିଆଇପିଏଫ୍ର ଏଭଳି ସାମାଜିକ ପ୍ରୟାସକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହ ଏହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ବୋଲି ଆଶା ପ୍ରକଟ କରିଥିଲେ। ଏହି ଉଦଘାଟନୀ ସମାରୋହ ମୁଖ୍ୟତଃ ଦୁଇଟି ସ୍ଥାନରେ ଆୟୋଜିତ ହୋଇଥିଲା।

ପ୍ରଥମେ ଚୌଦ୍ଵାର ବିରାଟ ବଜାରଠାରେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ନିର୍ମିତ ଏକ ଯାତ୍ରୀ ବିଶ୍ରାମାଗାର ଲୋକାର୍ପିତ ହୋଇଥିଲା, ଯାହା ଦ୍ଵାରା ଦୈନନ୍ଦିନ ଯାତାୟାତ କରୁଥିବା ଶତାଧିକ ପଥିକ ଓ ସ୍ଥାନୀୟ ବ୍ୟବସାୟୀ ଉପକୃତ ହେବେ। ଏହାପରେ ମଙ୍ଗରାଜପୁର ସ୍ଥିତ ନେକ୍ଟାର ବୃଦ୍ଧାଶ୍ରମ ପରିସରରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଥିବା ଏକ ସ୍ୱତନ୍ତ୍ର ଶୌଚାଳୟର ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇମ୍ଫା ଚୌଦ୍ଵାରର ଉପ-ସଭାପତି ଶ୍ରୀ ବିନୟ ଅଗ୍ରୱାଲା, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଉପ-ସଭାପତି ଶ୍ରୀ ଧର୍ମେଶ ଗୋହେଲ ଏବଂ ଇମ୍ଫାର କର୍ପୋରେଟ୍ ବ୍ୟାପାର ମୁଖ୍ୟ ଶ୍ରୀ ଅଶ୍ୱିନୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୩ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି, ଯେଉଁଥିରେ ସାମୂହିକ ଗୋଷ୍ଠୀ କେନ୍ଦ୍ର, ପାଠାଗାର ଗୃହ, ପାନୀୟ ଜଳ ପ୍ରକଳ୍ପ, ରୋଷେଇ ଶାଳ, ଶୌଚାଳୟ ବ୍ଲକ, ବିଦ୍ୟାଳୟଗୁଡ଼ିକରେ ଖେଳ ଉପକରଣ ଓ ସାଇକେଲ ଷ୍ଟାଣ୍ଡ ଏବଂ ଖେଳପଡ଼ିଆର ବିକାଶ ଆଦି ଜନହିତକର ପ୍ରକଳ୍ପ ସାମିଲ ରହିଛି।

ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ଵାର ତଥା ଏହାର ଆଖପାଖ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନିଆଯାଇଛି। ଆଗାମୀ ଦିନରେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ଜୀବନଧାରଣର ମାନ ଅଧିକ ଉନ୍ନତ କରିବା ପାଇଁ ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ସଂସ୍ଥାର ଉପସଭାପତି ଶ୍ରୀ ଅଗ୍ରୱାଲା ପ୍ରକାଶ କରିଛନ୍ତି। ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ, ବିରାଟ ବଜାର କମିଟି ପକ୍ଷରୁ ଶ୍ରୀ ପ୍ରଶାନ୍ତ ବରାଳ, ନେକ୍ଟାରର ପ୍ରତିଷ୍ଠାତା ଡଃ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।