କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ |

26

କଟକ (ଉତ୍କଳ ନ୍ୟୁଜ )୧୨-୦୫-୨୦୨୬ : କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ କଟକ ଜିଲ୍ଲାର ସଡକ ସୁରକ୍ଷା ପ୍ରବର୍ତ୍ତନ ସଂପର୍କିତ କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା | ରାସ୍ତା ପାର୍ଶ୍ଵବର୍ତ୍ତୀ ପାର୍କିଂ ଏବଂ ବର୍ଦ୍ଧିତ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମଙ୍ଗୁଳି ଠାରେ ଜମି ଚିହ୍ନଟ କରାଯାଇ ଏକ ଟ୍ରକ ଟର୍ମିନାଲ କରିବା ପାଇଁ ସଂପୃକ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା । କଟକ ସହରରେ ରାସ୍ତାଗୁଡିକରେ ଥିବା ହମ୍ପସରେ ରେଡିୟମ ଲାଇଟ ଲଗାଇବା ନିମନ୍ତେ ଅଧୀକ୍ଷଣ ଯନ୍ତ୍ରୀ ପୂର୍ତ୍ତ ପ୍ରଭାଗ-୧ ଏବଂ ୨ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୨୫ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାତୀୟ ରାଜପଥରେ ଜନସାଧାରଣଙ୍କ ସୁରକ୍ଷା,ବିଶେଷକରି ବେଆଇନ ପାର୍କିଂ, ରାସ୍ତା ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଜବରଦଖଲ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସଂପର୍କରେ ସମସ୍ତ ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରାଯାଇଥିଲା । କୌଣସି ଜାତୀୟ ରାଜପଥର ଡାହାଣ ପାର୍ଶ୍ଵରେ ନୂତନ ଢାବା,ଭୋଜନାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ନିର୍ମାଣ କିମ୍ବା ପରିଚାଳନା ସଂପୂର୍ଣ୍ଣ ନିଷିଦ୍ଧ କରିବା । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପୂର୍ତ୍ତ ବିଭାଗର ବିନା ଅନୁମତିରେ କୌଣସି ବିଭାଗ, କର୍ତ୍ତୁପକ୍ଷ ଏବଂ ସ୍ଥାନୀୟ ସଂସ୍ଥା ରାଜପଥ ସୁରକ୍ଷା ପରିଧି ମଧ୍ୟରେ କୌଣସି ଅନୁଷ୍ଠାନକୁ ଲାଇସେନ୍ସ,ଏନଓସି କିମ୍ବା କୌଣସି ବାଣିଜ୍ୟିକ ଅନୁମୋଦନ ପ୍ରଦାନ କରି ପାରିବେ ନାହିଁ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାରେ ଥିବା ଜାତୀୟ ରାଜପଥ ନିମନ୍ତେ ଜିଲ୍ଲା ପ୍ରଶାସନ ,ପୋଲିସ ପ୍ରଶାସନ, ଭାରତୀୟ ଜାତୀୟ ରାଜପଥ ପାଧିକରଣ , ପୂର୍ତ୍ତ ବିଭାଗ କୁ ନେଇ ଜିଲ୍ଲା ରାଜପଥ ସୁରକ୍ଷା ବାହିନୀ ଗଠନ କରିବେ । ନିୟମିତ ଭାବରେ ଜାତୀୟ ରାଜପଥରେ ପେଟ୍ରୋଲିଂ ପାଇଁ ରାଜ୍ୟ ପୋଲିସ ଏବଂ ପରିବହନ ବିଭାଗର କର୍ମଚାରୀଙ୍କୁ ନେଇ ରାଜପଥ ନିରିକ୍ଷକ ଦଳ ମଧ୍ୟ ଗଠନ କରାଯିବ ।

ଜରୁରୀକାଳିନ ଏବଂ ଚିକିତ୍ସା ବ୍ୟବସ୍ଥାକୁ ନିଶ୍ଚିନ୍ତ କରିବା ନିମନ୍ତେ କ୍ରେନ ଓ ଆମ୍ବୁଲାନ୍ସର ମୁତୟନ କରିବା,ରାଜପଥ ରେ ପ୍ରତି ୭୫ କିଲୋମିଟର ବ୍ଯବଧାନରେ ବିଶ୍ରାମଗାର,ଖାଦ୍ୟ, ପାନୀୟ, ପାର୍କିଂ ଏବଂ ପ୍ରାଥମିକ ଚିକିତ୍ସା ର ସୁବିଧା ରହିବା ନିମନ୍ତେ ଆଲୋଚନା କରାଯାଇଥିଲା । ଦୁର୍ଘଟଣା ପ୍ରବଣ ଅଞ୍ଚଳ ମାନଙ୍କୁ ଚିହ୍ନଟ କରି ସେ ସ୍ଥାନ ମାନଙ୍କରେ ଆଲୋକୀକରଣ,କ୍ୟାମେରା ଆଦି ବାଧ୍ୟତାମୂଳକ କରିବା ପାଇଁ ବୈଠକରେ ମଧ୍ୟ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଆୟୁକ୍ତ ପୁଲିସ କମିଶନରେଟ୍ ଶ୍ରୀ ଅମରେନ୍ଦ୍ର ପଣ୍ଡା,ଏସିପି ଟ୍ରାଫିକ୍ ଶ୍ରୀ ଜୟନ୍ତ ଦୋରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , କଟକଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ ।