କଟକ ( ଉତ୍କଳ ନ୍ୟୁଜ ) ୧୨ .୦୫.୨୦୨୬ ରିଖ : ନିଆଳି ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ଆଜି ବିଧିବଦ୍ଧ ଭାବେ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲା ଯୋଜନା କାର୍ଯ୍ୟାଳୟଠାରେ ଦାୟିତ୍ବ ଗ୍ରହଣ କରିବା ଅବସରେ ସେ କହିଛନ୍ତି, ଏହା କେବଳ ଏକ ପଦବୀ ନୁହେଁ, ବରଂ ଏହା ଏକ ଗୁରୁଦାୟିତ୍ୱ ଏବଂ କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସଂକଳ୍ପ ଓ ସେବାର ସୁଯୋଗ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ ଏବଂ ଏହି ବିଶ୍ବାସକୁ ସେ ପୂରଣ କରି ଦେଖାଇବେ ବୋଲି କହିଥିଲେ । ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରି ବିଭିନ୍ନ ଉନ୍ନୟନମୂଳକ କାମ କେଉଁଠାରେ ଅଟକି ରହିଛି ତାର ତର୍ଜମା କରି ଅଗ୍ରଗତି ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ବ ପ୍ରଦାନ କରିଥିଲେ । ପ୍ରଶାସନ ଓ ଜନ ପ୍ରତିନିଧି ଏକାଠି କାମ କରିବା ସହ ପ୍ରଶାସନିକ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି କଟକର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି, ଯୁବଶକ୍ତିଙ୍କୁ ସୁଯୋଗ, କୃଷକ ଓ ଶ୍ରମିକଙ୍କ ସଶକ୍ତିକରଣ, ମହିଳାମାନଙ୍କ ଅଗ୍ରଗତି, ସମସ୍ତଙ୍କ ନିମନ୍ତେ ମୌଳିକ ସୁବିଧା ସୁନିଶ୍ଚିତ କରିବା, ସଡ଼କ, ଜଳ ଓ ବିଦ୍ୟୁତ ଭଳି ପ୍ରାଥମିକ ସୁବିଧା ଲୋକଙ୍କ ଦ୍ଵାରଦେଶରେ ପହଞ୍ଚାଇବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ବିଧାୟକ କଟକ ସଦର ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଉଦବୋଧନ ଦେଇ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବା ଓ ଜିଲ୍ଲାର ସମସ୍ୟାର ସମାଧାନ ପାଇଁ ସବୁ ସମୟରେ ସେ ସହଯୋଗ କରିବେ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭଉସାହେବ ଶିନ୍ଦେ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।