ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ୧୦ମ ବାର୍ଷିକ ଉତ୍ସବ |

5

ତିହିଡି, ୦୨.୦୫: ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟସ୍ଥିତ ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ଦଶମ ବାର୍ଷିକ ଉତ୍ସବ ପୀରହାଟ ବାସନ୍ତୀ ପଡ଼ିଆ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ସାମ୍ମୁଖ୍ୟର ସଭାପତି ବରିଷ୍ଠ ସାହିତ୍ୟିକ ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ବରିଷ୍ଠ ଶିକ୍ଷାବିତ୍ ନରଞ୍ଜନ ନାୟକ ଉଦ୍‌ଘାଟନ କରିଥିଲେ । ଏଥିରେ ଆଲୋଚକ ଭାବେ ବିଶିଷ୍ଟ ସ୍ତମ୍ଭକର ତଥା ବିଏନଏମ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟପକ ଡ. ବିଶ୍ୱରଂଜନ ଦାସ ଯୋଗଦେଇ ଭଲ ସାହିତ୍ୟ ଦେଶ ବିଦେଶର ଭୌଗୋଳିକ ସୀମାକୁ ଡେଇଁ ପାରେ ବୋଲି କହିଥିଲେ । ବିଶିଷ୍ଟ ଆଲୋଚକ ତଥା ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଭୟ କୁମାର ଦାସ ଯୋଗଦେଇ ମଣିଷର ସମ୍ବେଦନଶୀଳତା ବୁଝିବା ହିଁ ଅସଲ ସାହିତ୍ୟ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ପ୍ରଭାକର ଦାସଙ୍କ ଗଳ୍ପ ସଂକଳନ ଗଳ୍ପ ଗୁଞ୍ଜନ ଓ କବିତା ସଂକଳନ କବିତା କଲ୍ଲୋଳ ଏବଂ ରଙ୍ଗ ପ୍ରକାଶନୀ ପ୍ରକାଶିତ ବରିଷ୍ଠ କବି ମୁକୁନ୍ଦ ଦେବ ନାୟକଙ୍କ କବିତା ସଂକଳନ ନିଆଁଝୁଲ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ସଂଗଠନର ମୁଖପତ୍ର ସୂର୍ଯ୍ୟଶିଖା କୁ ମଧ୍ୟ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ କବି ବାଦଲ ମହାନ୍ତିଙ୍କୁ ଗାଳ୍ପିକ ଡକ୍ଟର ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ ଓ ନାରୀ କବି ଶ୍ରୀମତୀ ରଶ୍ମୀତା ମହାନ୍ତିଙ୍କୁ ସମାଜସେବିକା ଜ୍ୟେତ୍ସାଶ୍ରୀ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଥିଲା । ପ୍ରଥମ ଅଧିବେଶନରେ ସଂଗଠନର ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟ ଏବଂ ଯୁବ କବି ବିଜୟ ବେହେରାଙ୍କ ସଂଯୋଜନାରେ ୪୦ରୁ ଅଧିକ କବି କବିତା ପାଠ କରିଥିଲେ । ସମ୍ପାଦକ ସୁବାସ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବି ସୁଧାରଂଜନ ମହାନ୍ତି, ବିପ୍ଳବ ନାୟକ ବିପ୍ଳବ ରଂଜନ ପତି ଲୋକାର୍ପିତ ପୁସ୍ତକ ଗୁଡ଼ିକର ସମୀକ୍ଷା କରିଥିଲେ । ଶେଷରେ ଅଧ୍ୟାପକ ଅଜୟ କୁମାର ମଲ୍ଲିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |