କଟକ, ( ଉତ୍କଳ ନ୍ୟୁଜ ) ୩୦-୦୪-୨୦୨୬ : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ,ଓରମାସ (ORMAS),କଟକ ଦ୍ଵାରା ନେତାଜୀ ବସ ଟର୍ମିନାଲ (CNBT), ଠାରେ ପ୍ରଥମ ମହଲାରେ ଅବସ୍ଥିତ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – ଦ ଭିଲେଜ ଷ୍ଟୋର” ରେ ପଟ୍ଟଚିତ୍ର କଳାର ଦୁଇଦିନିଆ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପଟ୍ଟଚିତ୍ର ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ପାରମ୍ପରିକ ଚିତ୍ରକଳା ଶୈଳୀ । “ପଟ୍ଟ” ମାନେ କପଡ଼ା (କ୍ୟାନଭାସ) ଏବଂ “ଚିତ୍ର” ମାନେ ଚିତ୍ରଣ—ଅର୍ଥାତ୍ କପଡ଼ା ଉପରେ ଅଙ୍କିତ ଚିତ୍ରକଳାକୁ ପଟ୍ଟଚିତ୍ର କୁହାଯାଏ । ଏହି କଳାର ମୂଳ କେନ୍ଦ୍ର ପୁରୀ ଜିଲ୍ଲା ଅନ୍ତର୍ଗତ ରଘୁରାଜପୁର ଗ୍ରାମ, ଯେଉଁଠାରେ ଅନେକ ପରମ୍ପରାଗତ ଶିଳ୍ପୀ ପରିବାର ପିଢି ପରେ ପିଢି ଏହି କଳାକୁ ଅନୁସରଣ କରୁଛନ୍ତି । ଏହି କଳାରେ ପ୍ରାକୃତିକ ରଙ୍ଗରେ ସୂକ୍ଷ୍ମ ,ନିଖୁଣ,ପୌରାଣିକ ବିଷୟ ଆଦି ସୁନ୍ଦର ଭାବେ ପ୍ରକାଶ ପାଏ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେଭେନସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ଯୁବତୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ଏହି କର୍ମଶାଳାରେ ପ୍ରସିଦ୍ଧ ପଟ୍ଟଚିତ୍ର ଶିଳ୍ପୀମାନେ ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ରର ଇତିହାସ, ପାରମ୍ପରିକତା, ପ୍ରାକୃତିକ ରଙ୍ଗର ବ୍ୟବହାର , ଚିତ୍ର ଅଙ୍କନର ବିଶେଷ ପ୍ରଣାଳୀ ଏବଂ ଏହାର ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଧାରଣା ପ୍ରଦାନ କରିବା ସହ ଏହି କୌଶଳର ଗୁରୁତ୍ଵ ଓ ଏହା ମାଧ୍ୟମରେ ସ୍ଵୟଂରୋଜଗାର ସୃଷ୍ଟି କରିବାର ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶାର ପ୍ରାଚୀନ ଏବଂ ଗୌରବମୟ କଳା ଐତିହ୍ୟ ‘ପଟ୍ଟଚିତ୍ର’କୁ ନିକଟରୁ ଜାଣିବା, ବୁଝିବା ଏବଂ ଏହାର ସୃଜନଶୀଳ ପ୍ରକ୍ରିୟାକୁ ଅନୁଭବ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ, ଶ୍ରୀ ବିପିନ ରାଉତ ମତ ପ୍ରକାଶ କରିଛନ୍ତି ।