ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

140

କଟକ (ଉତ୍କଳ ନିଉଜ୍) ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖୁଥିବା ତାରକା ଆଥଲେଟ୍ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ବିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ ଆଣ୍ଡ ଫିଲଡ ଆଥଲେଟ୍‌ଭାବେ ସେ କୋଭିଡ-୧୯ ପରେ, ପ୍ରତିଦ୍ବନ୍ଦିତାରେ ଭାଗ ନେବାର ସୁଯୋଗ ପାଇଥିଲେ। କିଙ୍ଗଷ୍ଟନରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟ ମିଟ୍‌ର ମହିଳା ୧୦୦ ମିଟରରେ ଭାଗ ନେଇଥିଲେ ୨୯ ବର୍ଷୀୟା ଶ୍ରାବଣୀ ।୨୦୧୭ରୁ ଜାମାଇକାରେ ଆଥଲେଟିକ୍‌ ମିଟ୍ ଗୁଡ଼ିକରେ ଭାଗନେଇ ଆସୁଛନ୍ତି ଶ୍ରାବଣୀ। ଭଲ ସ୍ଥାନରେ ଟ୍ରେନିଂ କରିବାକୁ ହେଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ପ୍ରତି ସେ ଜାମାଇକାର ଏମଭିପି ଟ୍ରାକ୍ କ୍ଲବରେ ଟ୍ରେନିଂ ନେଉଛନ୍ତି। ତେଣୁ ପ୍ରତିଦ୍ବନ୍ଦିତାରେ ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ଭେଲୋସିଟି ଫେଷ୍ଟ ୧୦୦ ମିଟର ହିଟ ରେ ୧୧.୭୮ ସେକେଣ୍ଡ ସମୟ ନେଇଥିବା ଶ୍ରାବଣୀ ଓଭରିଅଲ୍ ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ଅଲିମ୍ପିକ୍ସ ଚାମ୍ପିୟନ ଏଲିନେ ଥିମ୍ପସନ, ତାରକା ଧାବିକା ଶେଲୀ-ଆନ୍ ଫ୍ରାସର ପିୟର୍ସ ପ୍ରମୁଖ ଭାଗ ନେଇଥିଲେ। ଶ୍ରାବଣୀ ଶେଷଥରପାଇଁ ୨୦୧୭ ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ୪ଘ ୧୦୦ ମିଟର ରିଲେରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ |