କଟକ (ଉତ୍କଳ ନ୍ୟୁଜ ) ୯-୦୮-୨୦୨୫ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ୧. କାର୍ଯ୍ୟକାରୀ ହୋଇଥିବା NBW :-୩୧୮୯ ୨. ଅବକାରୀ ମାମଲା :-୮୯୦ ମାମଲା ଏବଂ ୧୭୦୬୯ .୫୫ ଲିଟର ମଦ ଜବତ ୩. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା :- ୫୧ ଅସ୍ତ୍ରଶସ୍ତ୍ର, 95 ଗୁଳିଗୋଳା ଏବଂ ୧,୪୫,୫୦୦ ଟଙ୍କା ୪. ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା:- ୧୧ ଟି ମାମଲା ସହିତ 888 କିଲୋଗ୍ରାମ ଗଞ୍ଜେଇ ଏବଂ ୬୮ .୫୭ ଗ୍ରାମ ବ୍ରାଉନସୁଗାର ଜବତ, (୦୨ଟି କାର ଏବଂ ୬୩,୭୫୦ ଟଙ୍କା) ୫. ଜୁଆ ମାମଲା :- ୧୧ ଟି ମାମଲା ସହିତ ୨ ,୭୯ ,୪୮୫ ଟଙ୍କା ୬. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା:- ୧୨୯ । ୭ . ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- ୧୧୫ ମାମଲା, ୧୧୫ ଯାନ ଜବତ ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୋଲିସ ଜିଲ୍ଲା ୧୦ ଟି ବନ୍ଧୁକ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି। ସେହିପରି ରାଉରକେଲା ପୋଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା ନିକଟରୁ ଏକକାଳୀନ ୧୦ ଟି ବନ୍ଧୁକ ଜବତ କରିଛି। NDPS ମାମଲାରେ କନ୍ଧମାଳ ପୋଲିସ ୫୩୫ କେଜି ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ଅବକାରୀ ମାମଲାରେ କେନ୍ଦୁଝର ପୋଲିସ ଜିଲ୍ଲା ସର୍ବାଧିକ ୧୦୭ ଟି ମାମଲା ରୁଜୁ କରିଥିବା ବେଳେ ୧୫୦୯ ଲିଟର ମଦ ଜବତ କରିଛି। ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ରାଉରକେଲା ଜିଲ୍ଲା ପୋଲିସ ୩ ଟି ମାମଲା ରୁଜୁ କରି ୧ ,୪୮ ,୩୩୦ ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଛି। ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଂଜୟ କୁମାର କହିଛନ୍ତି।