କଟକ,(ଉତ୍କଳ ନ୍ୟୁଜ),୨୬.୦୭.୨୦୨୫ : କନିଷ୍ଠ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦୁଇବର୍ଷିଆ ବିଏଡ଼ ପାଠ୍ୟକ୍ରମ ସଂପୂର୍ଣ୍ଣ କରିଥିବା ପାର୍ଥୀଙ୍କୁ ସୁଯୋଗ ଦେବାକୁ ହଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ସ୍ନାତକ ପରେ ଦୁଇବର୍ଷିଆ ବିଏଡ଼ (ସ୍ୱତନ୍ତ୍ର ଶିକ୍ଷା ) ପାସ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା କରି ୨୦୨୪, ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହଇକୋର୍ଟ ରଦ୍ଧ କରିଛନ୍ତି | କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩, ସେପ୍ଟେମ୍ବର ୧୦ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନଲ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ | ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହଇକୋର୍ଟ କହିଛନ୍ତି | ମୁଖ୍ୟବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସନ୍ତୋଷ କୁମାର ବେହେରାଙ୍କ ତରଫରୁ ଦାୟର ରିଟ ଅପିଲର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି |