କଟକ,(ଉତ୍କଳ ନ୍ୟୁଜ),୨୨.୦୭. ୨୦୨୫ : ଢ଼ାକାରେ ଆଜି ଏକ ସ୍କୁଲ ଉପରେ ବାଂଲାଦେଶ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଢାକାର ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ଉପରେ ଖସିପଡିଛି | ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୨ଜଣ ଶିକ୍ଷକ ଏବଂ ୧୬ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି | ୧୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର | କେତେକ ଲୋକଙ୍କ ଶରୀର ବହୁମାତ୍ରାରେ ପୋଡ଼ିଯାଇଛି | ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି | ଏହି ଘଟଣାରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ସୂଚନା ଅନୁଯାୟୀ, ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନଟି ହେଉଛି ଏଫ -୭ ବିଜିଆଇ | ଏହା ଚୀନର ଜେ-୭ ଲଢୁଆ ବିମାନର ଅତ୍ୟାଧୁନିକ ଭର୍ସନ | ତାଲିମ ପାଇଁ ବିମାନଟି ଅପରାହ୍ନ ୧ଟା ୬ ମିନିଟ୍ ରେ ଉଡାଣ ଆରମ୍ଭ କରିଥିଲା | କିନ୍ତୁ କିଛି ସମୟ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ସ୍କୁଲ ଉପରେ ଖସି ପଡିଥିଲା | ସେହି ସମୟରେ ପିଲାମାନେ ସେଠାରେ ପାଠ ପଢୁଥିଲେ ଏବଂ ପରୀକ୍ଷା ଦେଉଥିଲେ | ସ୍କୁଲରେ ବିମାନ ଦୁର୍ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି | ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ |