କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ :ପାଞ୍ଚ ମ୍ୟାଚ୍ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ୍ ଶୃଙ୍ଖଳାରେ ଭାରତ ୧-୨ରେ ପଛୁଆ ରହିଛି। ଆସନ୍ତା ସପ୍ତାହ ବୁଧବାରଠାରୁ ମାଞ୍ଚେଷ୍ଟର୍ରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ପାଇଁ ଭାରତୀୟ ଦଳ ମଧ୍ୟ ଗୁରୁବାରଠାରୁ ଅଭ୍ୟାସ ପର୍ବ ଆରମ୍ଭ କରି ଦେଇଛି। କେବଳ ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ, ଆକାଶ ଦୀପ ଓ ଋଷଭ ପନ୍ତ୍ ଅଭ୍ୟାସ ନ କରି ଜିମ୍ରେ ସମୟ କାଟିଛନ୍ତି। ପ୍ରତିଥର ଭଳି ଏଥର ମଧ୍ୟ ବୁମ୍ରାଙ୍କ କାର୍ଯ୍ୟଭାର ପରିଚାଳନା ବି ଚର୍ଚ୍ଚାକୁ ଆସିଛି। ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶୁବମନ ଗିଲ୍ କହି ସାରିଛନ୍ତି ଏହି ଗସ୍ତରେ ବୁମ୍ରା ୩ଟି ଟେଷ୍ଟ୍ ଖେଳିବେ। ସେହି ଦୃଷ୍ଟିରୁ ପରବର୍ତ୍ତୀ ଶେଷ ୨ଟିରୁ ବୁମ୍ରା ଗୋଟିଏ ଖେଳିବେ। ଭାରତ ଏବେ ଶୃଙ୍ଖଳାରେ ପଛରେ ପଡ଼ିଥିବାରୁ ବୁମ୍ରାଙ୍କୁ ଖେଳାଇବା ଭାରତ ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି ହୋଇଛି। ମାଞ୍ଚେଷ୍ଟର୍ ଟେଷ୍ଟ୍ ଆଉ ୪ ଦିନ ଥିବାରୁ ବୁମ୍ରା ବି ଲର୍ଡସ କ୍ଲାନ୍ତିରୁ ବାହାରି ସତେଜ ହୋଇଯାଇଥିବେ। ଭାରତୀୟ ବୋଲିଂର ବୁଲେଟ୍ ଭାବେ ବିବେଚିତ ହେଉଥିବାରୁ ବୁମ୍ରାଙ୍କୁ ବି କୌଣସି ମତେ ଏହି ଟେଷ୍ଟ୍ ଖେଳିବାର ଆବଶ୍ୟକତା ରହିଛି। ‘‘ଆମେ ଜାଣିଛୁ ବୁମ୍ରା ଶେଷ ଦୁଇଟିରୁ ଗୋଟିଏ ଟେଷ୍ଟ୍ ଖେଳିବେ। ଶୃଙ୍ଖଳା ଜୀବନ୍ତ ଥିବାରୁ ତାଙ୍କୁ ଖେଳାଇବାକୁ ପଡ଼ିବ’’ ବୋଲି କହିଛନ୍ତି ଭାରତୀୟ ଦଳ ସହକାରୀ ପ୍ରଶିକ୍ଷକ ରୢାନ୍ ଟେନ୍ ଡସେଟ୍। ଆମେ ସମସ୍ତ ଦିଗକୁ ବି ଦେଖୁଛୁ, ଚତୁର୍ଥ ଟେଷ୍ଟ୍ ପାଇଁ କିଛି ଦିନ ବିରାମ ରହିଛି। ମ୍ୟାଚ୍ ଜିତିବାକୁ ଆମ ନିକଟରେ ଶ୍ରେଷ୍ଠ ସୁଯୋଗ ବି ରହିଛି। ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ।