ଆମେଥି ନିର୍ମିତ ଏକେ-୨୦୩ ରାଇଫଲ: ମିନିଟ୍‌କୁ ୭୦୦ ଗୁଳି ୮୦୦ ମିଟର ରେଞ୍ଜ |

63

କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ :ଭାରତୀୟ ସଶସ୍ତ୍ର ବାହିନୀକୁ ଏକେ-୨୦୩ ଆସଲ୍ଟ ରାଇଫଲର ଏକ ନୂଆ ବ୍ୟାଚ୍ ମିଳିବାକୁ ଯାଉଛି, ଯାହା କାଲାସ୍ନିକୋଭ୍ ସିରିଜ୍‌ର ଏକ ଆଧୁନିକ ସଂସ୍କରଣ। ଗୋଟିଏ ମିନିଟ୍‌ରେ ଏଥିରୁ ୭୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଯାଇପାରିବ ଏବଂ ଏହାର ରେଞ୍ଜ ୮୦୦ ମିଟର ରହିଛି। ଇଣ୍ଡୋ-ରଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଆର୍‌ଆର୍‌ପିଏଲ୍) ହେଉଛି ଏକ ଯୁଗ୍ମ ଉଦ୍ୟୋଗ କମ୍ପାନି ଯାହା ଉତ୍ତର ପ୍ରଦେଶର ଆମେଥିରେ ‘ଶେର୍’ ନାମକ ଏକେ-୨୦୩ର ସ୍ୱଦେଶୀ ଉତ୍ପାଦନ ପାଇଁ ସ୍ଥାପିତ ହୋଇଛି। ୫୨୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ କମ୍ପାନି ସଶସ୍ତ୍ର ବାହିନୀକୁ ୬ ଲକ୍ଷରୁ ଅଧିକ ରାଇଫଲ ଯୋଗାଣ କରିବ। ଆଇଆର୍‌ଆର୍‌ପିଏଲ୍‌ ମୁଖ୍ୟ ମେଜର ଜେନେରାଲ ଏସ୍‌କେ ଶର୍ମା ଗୁରୁବାର କହିଛନ୍ତି ଯେ, ସେମାନେ ଡିସେମ୍ବର ୨୦୩୦ ସୁଦ୍ଧା ଡେଲିଭରି ଶେଷ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ହଜାର ରାଇଫଲ୍ ଯୋଗାଇ ଦିଆଯାଇଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଆଉ ୭ ହଜାର ଓ ଡିସେମ୍ବର ସୁଦ୍ଧା ୧୫ ହଜାର ଅତିରିକ୍ତ ରାଇଫଲ୍ ହସ୍ତାନ୍ତର କରାଯିବ।