ବ୍ରାହ୍ମଣୀ ବନ୍ୟା ସ୍ଥିତି ସଙ୍କଟାପନ୍ନ ,ପାଣିରେ ଭାସୁଛନ୍ତି ବିରାଟ କୁମ୍ଭୀର |

69

କଟକ,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫ : ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡା଼ ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି | ଚାରି ଦିନ ହେଲା ପାଣି ଛାଡୁ ନଥିବାରୁ ପାଇବା ପାଣି ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢିଛି | ତେବେ ସବୁଠୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି କୁମ୍ଭୀରକୁ ନେଇ | ବଡ ବଡ କୁମ୍ଭୀର ପାଣିରେ ଭାସୁଥିବା ବେଳେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି | ପଟ୍ଟାମୁଣ୍ଡାଇ ଅଳଭାରେ ବ୍ରାହ୍ମଣୀ ନଦୀର ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାରେ ଜଳସ୍ତର ୧୮.୨ ଫୁଟ ରହିଛି | ଉପାନ୍ତ ଅଞ୍ଚଳରେ ଥିବା ସିଂହଗାଁ ପଞ୍ଚାୟତ ୩ଟି ନଦୀର ବନ୍ୟାରେ ପ୍ରଭାବିତ ହୋଇ ଵାହତ୍ଯାଗତରୁ ବିଛିନ୍ନ ହୋଇରହିଛି | ଏହି ପଞ୍ଚାୟତର କୃଷ୍ଣଦାସପୁର , ରାଉଳିଆ , ବଡରାଉଳିଆ , ସିଂହଗାଁ ସମେତ ୫ଟି ଗ୍ରାମର ୭୦ ପ୍ରତିଶତ ଲୋକଙ୍କ ଘରେ ପାଣି ପଶିଯାଇଛି | ଗାଁ ଭିତରେ ଥିବା ନଳକୂପ ପାଣିରେ ବୁଡି ରହିଛି | ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକ ବୁଡ଼ିଯିବା ଯୋଗୁ ବିପନ୍ନମାନେ କୋଠାଘର ମାନଙ୍କରେ ଆଶ୍ରୟ ନେଇଛନ୍ତି |