ଇତିହାସ ସୃଷ୍ଟି କଲେ ଶୁଭାଂଶୁ |

70

କଟକ,(ଉତ୍କଳ ନ୍ୟୁଜ),୧୬.୦୭ .୨୦୨୫ : ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନର ଅଭିଯାନ ଶେଷ କରି ଭାରତର ପ୍ରଥମ ମହାକାଶଚାରି ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ସାଥି ମହାକାଶଚାରି କମାଣ୍ଡର ପେଗି ହ୍ୱିଟସନ (ଆମେରିକା ), ସ୍ଲାଓଜ ଉଜନାନସ୍କି (ପୋଲାଣ୍ଡ ) ଓ ଟିବୋର କାପୁ (ହଙ୍ଗେରୀ )ଙ୍କ ସହ ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି | କଲିଫର୍ଣ୍ଣିଆ ଉପକୂଳରେ ତାଙ୍କର ସୁରକ୍ଷିତ ଅବତରଣ ପରେ କୋଟି କୋଟି ଭାରତୀୟ ଆଶ୍ୱସ୍ତ ହୋଇଛନ୍ତି | ଭାରତର ନୂତନ ମହାକାଶ ନାୟକ ତଥା ଆଇଏସଏସ ପରିଦର୍ଶନ କରିଥିବା ଦେଶର ପ୍ରଥମ ମହାକାଶଚାରି ଶୁକ୍ଲା ସ୍ପେସଏକ୍ସର ଡ୍ରାଗନ ମହାକାଶଯାନରେ ଅପରାହ୍ନ ପ୍ରାୟ ୩ଟା ୧ ମିନିଟରେ ସାନଡିଏଗୋ ଉପକୂଳ ପ୍ରଶାନ୍ତ ମହାସାଗରରେ ଅବତରଣ କରି ଐତିହାସିକ ଆକ୍ସମ -୪ ଅଭିଯାନ ଶେଷ କରିଥିଲେ |ସୋମବାର ସନ୍ଧ୍ୟାରେ ଆଇଏସଏସରୁ ମହାକାଶଯାନ ଉଡାଣ ଭରିବା ପରେ ପ୍ରାୟ ୨୨ ଘଣ୍ଟାର ପ୍ରତ୍ୟାବର୍ତ୍ତନ ଯାତ୍ରାର ଅନ୍ତ ଘଟିଛି | ୧୯୮୪ରେ ରାକେଶ ଶର୍ମାଙ୍କ ମହାକାଶ ଅଭିଯାନ ପରେ ଶୁଭାଂଶୁ ଶୁକ୍ଲା ଆଇଏସଏସ କକ୍ଷପଥରେ ପରିକ୍ରମା କରିବାରେ ପ୍ରଥମ ଭାରତୀୟ ଓ ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି | ଭାରତର ମାନବ ମହାକାଶଯାତ୍ରାରେ ଏହା ଏକ ବଡ ଅଗ୍ରଗତି ଏବଂ ଦେଶର ଆଗାମୀ ଗଗନଯାନ ଅଭିଯାନରେ ଏକ ଉତ୍ସାହପ୍ରଦ ପଦକ୍ଷେପ ବୋଲି ବିବେଚନା କରାଯାଉଛି |