ଶ୍ରାବଣମାସ ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଭିଡ।

152

କଟକ(ଉତ୍କଳ ନିଉଜ)୧୪/୦୮/୨୦୨୫ : ଶ୍ରାବଣମାସର ପ୍ରଥମ ସୋମବାର ପାଇଁ ରବିବାର ଠାରୁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଥିଲା କାଉଡିଆଙ୍କ ଭିଡ। ଆଜି ଭୋର ୪ଟାରେ ମନ୍ଦିର ଦ୍ବାର ଫିଟା ଯିବା ପରେ ବୋଲ ବମ ହରହର ବମ ଧ୍ବନି ଦେଇ ବାବାଙ୍କୁ ଜଳାଭିଷେକ କରିଥିଲେ। ହଜାର ହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ଯବସ୍ଥା କରା ଯାଇଛି। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ଯବସ୍ଥା କରାଯାଛି। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ଯାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି।

ହେଲେ ଦୂରଦୂରାନ୍ତରରୁ ଶହଶହ କିଲୋମିଟର ଖାଲିପାଦରେ ଚାଲିଚାଲି ଆସୁଥିବା କାଉଡିଆ ଭକ୍ତ ଆସୁଥିଲେ ମଧ୍ଯ ଭଦ୍ରକ-ଆଖଣ୍ଡଳମଣି ମୁଖ୍ଯରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ଅନ୍ଯ ରାସ୍ତାର ଖାଲଖମା ରହିଥିବାରୁ ବହୁ ଅସୁବିଧାରେ ଆସୁଥିବା କହିଛନ୍ତି ଭକ୍ତମାନେ। ଏହି ରାସ୍ତାର ମରାମତି ପାଇଁ ଏକମାସ ପୂର୍ବରୁ ଜିଲାପାଳଙ୍କ ଅଧ୍ଯକ୍ଷତାରେ ଆଲୋଚନା ହୋଇଥିଲେ ମଧ୍ଯ ମରାମତି ହୋଇ ପାରିଲା ନାହିଁ। ଏଥିସହ ରବିବାର ରାତିରେ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆଭକ୍ତ ଯାତାୟତ କରିବାରେ ନାନା ଅସୁବିଧା ଦେଖା ଦେଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |