କଟକ,(ଉତ୍କଳ ନ୍ୟୁଜ),୧୪.୦୭.୨୦୨୫ : ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି | ୧୪ ତାରିଖ ଅପରାହ୍ନରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ଵିମାନବନ୍ଦରରେ ପହଞ୍ଚିବେ ଏବଂ ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୁଲାଇ ୧୫ ତାରିଖରେ ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ |୧୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏମସ ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗଦେବେ | ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଏହାପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭତ୍ତିପ୍ରସ୍ଥର କରିବେ | ସେହିଦିନ ଅପରାହ୍ନରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଚକସ୍ଥିତ ଶାରଳା ଭାବନା ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ | ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଯୋଗଦେବା ସହ "କଳିଙ୍ଗ ରତ୍ନ ପୁରସ୍କାର -୨୦୨୪" ପ୍ରଦାନ କରିବେ |