ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ବାଂଶଡା ଥାନା ସମ୍ମୁଖରେ ଦଳିତ ମହାସଂଘ ପକ୍ଷରୁ ଧାରଣା।
ତିହିଡି,(ଉତ୍କଳ ନ୍ୟୁଜ),୧୩.୦୭.୨୦୨୫ : ଡବଲ୍ ଇଞ୍ଜିନ୍ ସରକାର ଓଡିଶାରେ କ୍ଷମତାସୀନ ହେବା ପରେ ସାରା ଓଡିଶାରେ ବିଜେପି ଓ ଆରଏସ୍ଏସର ଗୁଣ୍ଡା ବାହିନୀ ଆଇନକୁ ନିଜ ହାତକୁ ଆମ ରାଜ୍ୟର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିଶେଷ କରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ କରି ବାଂଶଡା ଥାନା ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ବିଜେପି ଗୁଣ୍ଡା ବାହିନୀର ଦଳିତ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଅସହ୍ୟ ହୋଇ ପଡିଛି । ଖଦାଳପୋଖରୀ ଗ୍ରାମ ପଞ୍ଚାୟତର ଦଳିତ ନେତା ଅଞ୍ଜନ ଦାସଙ୍କୁ ଗତ ୨ ମାସ ତଳେ ବିଜେପିର ଗୁଣ୍ଡା ବାହିନୀ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଣି ଗତ ୫ ଦିନ ତଳେ ତାଙ୍କ ବୃଦ୍ଧ ପିତା ମାତାଙ୍କ ଉପରେ ବିଜେପିର ଗୁଣ୍ଡା ବାହିନୀ ଭୟଙ୍କର ଆକ୍ରମଣ କରିଛନ୍ତି । କୌଣସି ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରା ଯାଇନାହିଁ । ମେଘାନୂଆଗାଁ ଗ୍ରାମର ମାଗୁଣି ଚରଣ ସିଂଙ୍କ ପରିବାର ଉପରେ ବର୍ଷେ ଭିତରେ ଅସାମାଜିକ ବ୍ୟକ୍ତିମାନେ ୪ ଥର ଆକ୍ରମଣ କରିଛନ୍ତି । ୪ଟି ଏତଲା ବଂଶଡା ଥାନାରେ ପଞ୍ଜୀକରଣ ହୋଇଥିଲେ ହେଁ କୌଣସି ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରା ଯାଇନାହିଁ । କୁଆଁରୀକାନ୍ଥୀ ଗ୍ରାମର ସଞ୍ଜୁଲତା ଦାସଙ୍କ ପରିବାର ଉପରେ ବିଜେପିର ଗୁଣ୍ଡା ବାହିନୀ ଲଗାତର ଆକ୍ରମଣ କରୁଛନ୍ତି କିନ୍ତୁ ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ ସେମାନଙ୍କୁ ଗିରଫ କରା ଯାଉନାହିଁ । ଖଦାଳ ପୋଖରୀ ଗ୍ରାମର ସଞ୍ଜୟିନି ଦାସଙ୍କ ପରିବାର ଉପରେ ବିଜେପିର ଗୁଣ୍ଡା ବାହିନୀ ୨ ମାସ ତଳେ ଭୟଙ୍କର ଆକ୍ରମଣ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆସାମୀ ଗିରଫ ହେଲେନାହିଁ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନସ୍ଥ ଖାରିଗୁମ୍ମା ସିଙ୍ଗାପୁର ଗ୍ରାମର ଦଳିତ ଚାବୁଲା ନାୟକ ଓ ବୁଲୁନାୟକ ନିର୍ଯ୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ମାନେ ଏ ପର୍ଯ୍ୟନ୍ତ ଗିରଫ ହେଲେନାହିଁ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ସଂପୃକ୍ତ ମୁଖ୍ୟ ଷଡଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନ ଜେଲଖାନାରୁ ଅନ୍ତରୀଣ ଜାମିନ ପାଇବା ପରେ ବିଜେପି ନେତା ଓ କର୍ମୀ ମାନେ ଝାଡପଡା ଜେଲଖାନା ନିକଟରୁ ତାଙ୍କୁ ଶୋଭାଯାତ୍ରାରେ ନେବା ଓଡିଶାରେ ଅପରାଧୀମାନେ ଅପରାଧ ସଂଗଠିତ କରାଇବା ପାଇଁ ଅଧିକ ଦୁଃସାହସ ପାଇଛନ୍ତି ଓ ସକ୍ରିୟ ହୋଇ ପଡିଛନ୍ତି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜଣେ ଅଧ୍ୟାପକ ଗିରଫ ହୋଇଥିଲେ ହେଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକଙ୍କ ସପକ୍ଷରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଥିବା ଅଧ୍ୟାପକ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିଛନ୍ତି । ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଆରଏସଏସ୍ ପ୍ରତ୍ୟେକ ଦିନ ଆକ୍ରମଣ କରୁଛି । ଗୋ ସୁରକ୍ଷା ନାମରେ ଗୋ ସୁରକ୍ଷା ବାହିନୀ ପ୍ରତ୍ୟେକ ଦିନ ଗୋରୁ ବେପାର କରୁଥିବା ସାଧାରଣ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମୁସଲମାନମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେମାନଙ୍କ ବିରୁଦ୍ଧରେ ଓଡିଶା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଗୋରୁଚାଷୀ ମାନେ ରାଜ୍ୟ ତମାମ ଭୟଭୀତ। ଏହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବାଂଶଡା ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବିଜେପିର ଗୁଣ୍ଡା ମାନଙ୍କୁ ତୁରନ୍ତ ଗିରଫ, ଅଞ୍ଜନ ଦାସଙ୍କ ସମେତ ତାଙ୍କ ବୃଦ୍ଧ ପିତା ମାତାଙ୍କ ଆକ୍ରମଣକାରୀଙ୍କୁ ଗିରଫ, ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା, ଧରାକୋଟ ଦଳିତ ଆକ୍ରମଣ ଓ ନିର୍ଯ୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ, ଗୋ ସୁରକ୍ଷା ନାମରେ ମଣିଷ ମାନଙ୍କ ଉପରେ ଆକ୍ରମଣ କରୁଥିବା ଆତ୍ମଘୋଷିତ ଗୋ ସୁରକ୍ଷା ବାହିନୀକୁ ବେଆଇନ ଘୋଷଣା କରିବା ଆଦି ଦାବି ନେଇ ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ଓ ଦଳିତ ଶୋଷଣ ମୁକ୍ତି ମଞ୍ଚ ପକ୍ଷରୁ ମିଳିତ ଭାବେ ବାଂଶଡା ଥାନା ସମ୍ମୁଖରେ ଗଣଧାରଣା ଦିଆ ଯାଇଥିଲା । ଏହି ଗଣଧାରଣାରେ ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ଓ ଦଳିତ ଶୋଷଣ ମୁକ୍ତି ମଞ୍ଚର ଜିଲ୍ଲା ଉପଦେଷ୍ଟା ତଥା ସିପିଆଇ(ଏମ)ର ଯୁବନେତା ବିକାଶ ନାଥ, ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଂପାଦକ ଅଞ୍ଜନ ଦାସ, ଜିଲ୍ଲା ସଭାପତି ହାକିମ ଦାସ, ଦଳିତ ଶୋଷଣ ମୁକ୍ତି ମଞ୍ଚର ଜିଲ୍ଲା ସଂପାଦକ ଉଜ୍ବଳ ଜେନା, ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଜେନା, ବାମପନ୍ଥୀ ନେତା ଗଦାଧର ପଣ୍ଡା, ରମାକାନ୍ତ ବେହେରା, ଓଡିଶା ବହୁଜନ ସାମୁଖ୍ୟ ରାଜ୍ୟ ଉପସଭାପତି ପ୍ରକାଶ ନାୟକ, ଦଳିତ ନେତା ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦେଇ ନିୟମିତ ଅପରାଧ ସଂଗଠିତ କରାଉଥିବା ଅପରାଧୀ ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ଶାନ୍ତିପ୍ରିୟ ଓଡିଶାକୁ ନବ୍ୟ ଫାଶୀବାଦୀ ମାନଙ୍କ ହାତକୁ ଟେକି ଦିଆଯାଇ ପାରିବ ନାହିଁ ବୋଲି ବକ୍ତାମାନେ ଧାରଣା ସ୍ଥଳରେ ଦୃଢୋକ୍ତି ପ୍ରକାଶ କରିଥିଲେ ।
