ଭଦ୍ରକ,(ଉତ୍କଳ ନ୍ୟୁଜ), ୦୮.୦୭ .୨୦୨୫ : ମୋଟର ଯାନ ଆଇନ-୨୦୧୯ ବାତିଲ୍ କରିବା, ଡ୍ରାଇଭର ମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଇଛୁକ ଡ୍ରାଇଭର ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା, ସମସ୍ତ ଡ୍ରାଇଭର ମାନଙ୍କୁ ଇଏସଆଇରେ ଅନ୍ତର୍ଭୁକ୍ତ କରିବା, ଅବସରପ୍ରାପ୍ତ ଡ୍ରାଇଭର ମାନଙ୍କୁ ମାସିକ ପେନସନ ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଡବଲ୍ ଇଞ୍ଜିନ୍ ସରକାର ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଦାବି ନେଇ ଅଲ୍ ଓଡିଶା ଡ୍ରାଇଭର ଆସୋସିଏସନ୍ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟସ୍ଥ ଜାତୀୟ ରାଜପଥ-୧୬କୁ ସକାଳ ୮.୦୦ ଘଟିକାରୁ ସକାଳ ୧୦.୦୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଥିଲା । ଫଳରେ ଜାତୀୟ ରାଜପଥରେ ଶହ ଶହ ଯାନବାହନ ଚଳାଚଳ ବନ୍ଦ ହୋଇ ରହିଥିଲା । ଏହି ବନ୍ଦ ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅଲ୍ଓଡିଶା ଡ୍ରାଇଭର ଆସୋସିଏସନର ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ଆସୋସିଏସନର ଅନ୍ୟତମ ନେତା ଅଭିରାମ ବେହେରା, ମାନସ ସାହୁ, ଗୋପିନାଥ ସାହୁ, କାଲୁ ଖାନ୍ ପ୍ରମୁଖ ନେତୃତ୍ବ ନେଇଥିଲେ । ଆସନ୍ତା ଜୁଲାଇ ୯ ସର୍ବଭାରତୀୟ ସାଧାରଣ ଧର୍ମଘଟରେ ଅଲ୍ ଓଡିଶା ଡ୍ରାଇଭର ଆସୋସିଏସନ୍ ସାମିଲ ହେବ ବୋଲି ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଭାପତି ଅଜୟ ଚାନ୍ଦ ଆନ୍ଦୋଳନ ସ୍ଥଳରେ ଘୋଷଣା କରିଥିଲେ ।