ଭଦ୍ରକ,(ଉତ୍କଳ ନ୍ୟୁଜ).୫.୭.୨୦୨୫ : ଆମ ରାଜ୍ୟର ଜଣେ ପ୍ରତିଷ୍ଠିତ ନାରୀନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଯୌନକ୍ରିୟା ଓ ଚରିତ୍ର ପ୍ରତି କଦର୍ଯ୍ୟ ଓ ଅଶାଳୀନ ମନ୍ତବ୍ଯ ଦେଇଥିବା ବିଜେପି ବିଧାୟକ ସନ୍ତୋଷ ଖଟୁଆକୁ ତୁରନ୍ତ ଗିରଫ କରିବାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦାବି କରାଯାଇଛି । ସନ୍ତୋଷ ଖଟୁଆଙ୍କୁ ଜଣେ ଅସଭ୍ୟ ଓ ଅଭଦ୍ରର ଆଖ୍ୟା ଦେଇଛି ସିପିଆଇ(ଏମ)। ଭାରତର ସମ୍ବିଧାନ ଆମ ଦେଶର ମହିଳାମାନଙ୍କୁ ସମ୍ମାନ, ସ୍ୱାଭିମାନ, ଆତ୍ମ ମର୍ଯ୍ୟାଦା, ଗଣତାନ୍ତ୍ରିକ ଅଧିକାର, ସମାନତା, ନ୍ୟାୟ ଓ ସୁରକ୍ଷା ଆଦି ପ୍ରଦାନ କରିଥିବା ବେଳେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ବିଜୁ ଜନତା ଦଳର ଅନ୍ୟତମ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ର ସଂହାର କରିବା ଭାରତର ନାରୀ ସମାଜ ପ୍ରତି ଓ ଆମ ସମ୍ବିଧାନ ପ୍ରତି ଶକ୍ତ ଆଘାତ ବୋଲି ସିପିଆଇ(ଏମ)ର ନେତୃବୃନ୍ଦ ମତବ୍ଯକ୍ତ କରିଛନ୍ତି । ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ବିଜେପିର ଏହି ଦାଗୀ ବିଧାୟକ ସନ୍ତୋଷ ଖଟୁଆଙ୍କୁ ବିଧାନସଭାରୁ ବହିଷ୍କାର କରିବା ଉଚିତ୍ ଓ ଭାରତୀୟ ନ୍ୟାୟ ସଂହିତାର ଦଫା ୭୪, ଦଫା ୭୫, ଦଫା ୭୫ର ଉପଦଫା (୧) ଗ ଓ ଘ ଅନୁଯାୟୀ ଆସାମୀ ସନ୍ତୋଷ ଖଟୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ଥିବା ଓଡିଶା ପୋଲିସ ଅବିଳମ୍ବେ ଗିରଫ କରି କୋର୍ଟ ଚାଲାଣ କରିବା ଆବଶ୍ୟକ ବୋଲି ସିପିଆଇ(ଏମ)ର ନେତୃବୃନ୍ଦ ମତବ୍ଯକ୍ତ କରିଛନ୍ତି । ମଣିପୁର ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ମଣିପୁରରେ ମହିଳା ଗଣଧର୍ଷଣ, ଓଡିଶାରେ ଚାଲିଥିବା ଡବଲ୍ ଇଞ୍ଜିନ୍ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ନିକଟରେ ଗୋପାଳପୁର ବନ୍ଦରରେ ଜଣେ ଯୁବତୀଙ୍କୁ ଗଣବଳତ୍କାର, ଶିମିଳିପାଳ ଅଭୟାରଣ୍ୟ ଭିତରେ ବନକର୍ମଚାରୀ ମାନଙ୍କ ଦ୍ଵାରା ମହିଳା ଧର୍ଷଣ, ଗଞ୍ଜାମ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ୩ ଜଣ ମହିଳାଙ୍କୁ ଧର୍ଷଣ, ଚାନ୍ଦିପୁର ବେଳା ଭୂମିରେ ମହିଳା ଧର୍ଷଣ ଆଦି ଅପରାଧ ସଂଗଠିତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଭାରତର ୬ଟି ରାଜ୍ୟକୁ ମହିଳା ମାନଙ୍କ ପାଇଁ ଅସୁରକ୍ଷିତ ବୋଲି ଚିହ୍ନଟ କରାଯାଇଥିଲା ଯାହା ବିଶ୍ବ ଦରବାରରେ ଆମ ରାଜ୍ୟ ଓଡିଶା ଓ ଭାରତର ମୁହଁ ଲଜ୍ୟାରେ ତଳକୁ ଯାଇଥିଲା । ଏବେ ଏହି ମ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମନ୍ତବ୍ଯ ବିଜେପି ଦଳର ଅସଲ ଚରିତ୍ର, ନୀତି ଓ ଆଦର୍ଶକୁ ପଦାରେ ପକାଇଛି ଓ ରାଜ୍ୟ ତଥା ଜାତୀୟ ସ୍ତରର ଗଣମାଧ୍ୟମରେ ଏ ଘଟଣାର ପରିପ୍ରକାଶ ଆମ ଦେଶର ମହିଳା ମାନଙ୍କ ସମ୍ମାନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି । ସନ୍ତୋଷ ଖଟୁଆଙ୍କୁ ଗିରଫ କରାନଗଲେ ଜନଆନ୍ଦୋଳନ ବ୍ୟାପକ ହେବ ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମିଳିତ ପ୍ରେସ୍ ବିଜ୍ଞପ୍ତିରେ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର ,ରାଧାନାଥ ଦାସ ଓ ଗିରିଧାରୀ ନାଥ ପ୍ରମୁଖ ଚେତାବନୀ ଦେଇଛନ୍ତି ।