କଟକ,(ଉତ୍କଳ,ନ୍ୟୁଜ),୧ .୦୭ .୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗାଁରେ ଦିନକୁ ଦିନ ରାଜନୈତିକ ଉଗ୍ରରୂପ ନେଉଛି । ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି ମଧ୍ୟରେ ଲାଗି ରହିଥିବା ଶତୃତା ମେଣ୍ଟିବାରେ ନାଁ ଧରୁନି । ରାତି ପାହିଲେ କିଛି ନା କିଛି ବିବାଦ ସାମନାକୁ ଆସୁଛି । ବିଗତ ଦିନରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ କିଛିଦିନ ତଳେ ହାତବୋମା ଫିଙ୍ଗାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା । ଏନେଇ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଥିଲା । ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କ ସୁବିଧା ଅସୁବିଧାର ସାହା ହେଉଥିଲା । ଉକ୍ତ ଘଟଣା ଲୋକଙ୍କୁ ମନରୁ ଲିଭିନଥିବା ବେଳେ ପୁଣି ଏବେ ଏକ ନିଦ୍ଦିଷ୍ଟ ରାଜନୈତିକ ଦଳର ଦୁଇ ଜଣ ବ୍ୟକ୍ତି ଏହି ପକ୍ଷ ଚାଷ ପାଇଁ ବିଲକୁ ଟ୍ରାକ୍ଟର ନେଉଥିବା ବେଳେ ବନ୍ଦ କରିବା ସହିତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ମାଡ ମାରିବାକୁ ଧମକ ଦେଇଥିଲେ । ବର୍ଷା ଋତୁରେ ଲୋକେ ହଳ ନକଲେ ଚାଷ କରିବେ କେମିତି ଏବଂ ପରିବାର ବରଷକର ଖାଦ୍ୟ ଆସିବ କେଉଁଠୁ । ଏହାକୁ ଲକ୍ଷ୍ୟରେ ରଖି ସୋମବାର ପୂର୍ବାହ୍ନରେ ଶରତ ମଳିକ, ସୁବାସ ଦାସ, ସବିତା ଦାସ, ରବିନ୍ଦ୍ର ମଳିକ, ମିଲୁ ମଳିକ, ରାଜୁ ଦାସ, ବିଜୟ ଦାସ, ବାପି ଦାସ, ରମେଶ ମଳିକ, ଅରୁଣ ମଳିକ ଓ ପ୍ରାଣବନ୍ଧୁ ଦାସ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଥାନା ବାରଣ୍ଡାରେ ବସି ନ୍ୟାୟ ଭିକ୍ଷା କରିଥିଲେ । ଖବର ପାଇ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀରେ ଆସିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଥାନାରେ ଗ୍ରାମବାସୀଙ୍କୁ ଭେଟି ବିଷଦଭାବେ ଆଲୋଚନା କରିବା ସହିତ ଆବଶ୍ୟକ ପଡିଲେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାଷୀମାନଙ୍କର ଟ୍ରାକ୍ଟର ଯେପରି ବିଲକୁ ଯାଇ ପାରିବ ସେଥିପ୍ରତି ତୀକ୍ଷ୍ଣ ନଜର ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।