ତିହିଡି, ୩୦.୦୬.୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ମଙ୍ଗଳପୁର ମୌଜାର ଶ୍ମଶାନ ଓ ଗ୍ରାମ୍ୟ ଜଙ୍ଗଲ ଜମି ଅଣହିନ୍ଦୁଙ୍କ କବଜାରେ । ପ୍ରଥମେ ବାଡ ଘେରାଇ ଅକ୍ତିଆର କଲେ ପରେ ବଳପୂର୍ବକ ପର୍ଯ୍ୟାୟକ୍ରମେ ଘର ଦ୍ୱାର କରି ବସବାସ କରୁଛନ୍ତି । ଗ୍ରାମବାସୀ ପ୍ରତିବାଦ କଲେ ମଧ୍ୟ ସେମାନେ ସଂଘବଦ୍ଧ ହୋଇ ଭୃକ୍ଷେପ କରୁ ନାହାଁନ୍ତି । ଫଳରେ ଏହି ମୌଜାର ଲୋକେ ଗୃହପାଳିତ ପଶୁର ମଢ ହେଉବା ଅଥବା ମଣିଷର ଶବକୁ ଦାହ କରିନପାରି ଏଣେତେଣେ ପକାଉଛନ୍ତି ଯାହା ପରିବେଶ ପ୍ରଦ୍ୟୁଷଣ କରୁଛି । ଏଭଳି ସଂଗୀନ ଅଭିଯୋଗ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗ୍ରାମବାସୀ ଆଗତ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ତହସିଲଦାରଙ୍କ ନିକଟରେ ଫେରାଦ୍ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଏବଂ ଏହି ଜନଶୁଣାଣୀରେ ପୂନର୍ବାର ଅଭିଯୋଗ କରି ଜବର ଦଖଲ ଉଚ୍ଛେଦ ଦାବୀ କରିଛନ୍ତି । ସୂଚନା ମୁତାବକ, ସନ୍ଥପୁରା ମୌଜାର ଭଦ୍ରକ-ଚାନ୍ଦବାଲି ରାସ୍ତା ଠାରୁ ଗୁଆଳିପଦା ଭାୟା ସେକ୍ ମହମ୍ମଦ ତାଜୁଦ୍ଦିନ ଓ ସେକ୍ ସହଦ୍ଙ୍କ ଘର ନିକଟରେ ଥିବା ସରକାରୀ ଜମି ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ଖାତା ନମ୍ବର ୪୧୨, ପ୍ଲଟ ନମ୍ବର ୪୧୩(କିସମ ଶ୍ମଶାନ), ୪୧୧ ଓ ୪୧୨(କିସମ ଉନ୍ନତ ଯୋଜନା ଅର୍ନ୍ତଭୁକ୍ତ ଗ୍ରାମ୍ୟ ଜଙ୍ଗଲ) ୪ ଏକରରୁ ଉର୍ଦ୍ଧ ଜମିକୁ ଅଣହିନ୍ଦୁ (ସଂଖ୍ୟାଲଘୁ) ସଂପ୍ରଦାୟର ଲୋକେ ବଳ ପୂର୍ବକ ଅକ୍ତିଆର କରିଛନ୍ତି । ଏହି ଜମି ଉପରେ ମୌଜାର ଦେଢ ହଜାରୁ ଉର୍ଦ୍ଧ ଲୋକେ ଶ୍ମଶାନ ଭାବେ ବ୍ୟବହାର କରିବା ସହିତ ଚାଷ କ୍ଷେତକୁ ଯାତାୟତ କରିଥାନ୍ତି । ଏହା ବନ୍ଦ ହେବା ଫଳରେ ଲୋକେ ନାହିଁନଥିବା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଆଗାମି ଦିନରେ ଜବର ଦଖଲ ମୁକ୍ତ କରାନଗଲେ ଗ୍ରାମବାସୀ ରାଜରସ୍ତାକୁ ଉହ୍ଲାଇବେ ବୋଲି ହରେକୃଷ୍ଣ ପଣ୍ଡା, ଜୀବନ ବଳ, ପଞ୍ଚାନନ ମହାଳିକ, ବ୍ରଜବହ୍ଲଭ ପଣ୍ଡା, ପିତାମ୍ବର ବାରିକ, ଗୌରାଙ୍ଗ ଦାଶ, ମାଗୁଣି ବେହେରା, କୃଷ୍ଣଚନ୍ଦ୍ର ବେହେରା, ସୀତାକାନ୍ତ ବେହେରା ଓ ସୀତାକାନ୍ତ ନାୟକ ପ୍ରମୁଖ ଚେତାବନ ଦେଇଛନ୍ତି ।