କଟକ,(ଉତ୍କଳ ନ୍ୟୁଜ),୬.୬.୨୦୨୫ : ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ । ଏହି ଆଲୋଚନା ସମୟରେ ସେ କିଙ୍ଗଫିସର ଏୟାରଲାଇନ୍ସର ପତନ ସହ ଅନେକ ପ୍ରସଙ୍ଗରେ ଖୋଲାଖୋଲି ବୟାନ ଦେଇଛନ୍ତି । ଏଥିରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ ବିଜେପିର ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମ ମଧ୍ୟ ନେଇଛନ୍ତି । ପୋଡକାଷ୍ଟରେ ମାଲ୍ୟା କହିଛନ୍ତି କି, ମୋତେ ପଳାତକ କୁହ କିନ୍ତୁ ଚୋର କୁହନାହିଁ । ବିଜୟ ମାଲ୍ୟା ଦାବି କରିଛନ୍ତି କି, ସେ ଭାରତ ଛାଡିବା ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ । ବିମାନବନ୍ଦର ଯିବା ପୂର୍ବରୁ ସେ ଅରୁଣ ଜେଟଲୀଙ୍କୁ ଭେଟିଥିଲେ । ଏହାପରେ ସେ ଦିଲ୍ଲୀରୁ ଲଣ୍ଡନ ଚାଲିଯାଇଥିଲେ । ସେଠାରୁ ସେ ୱାର୍ଲଡ୍ କାଉଁସିଲ ମିଟିଂ ପାଇଁ ଜେନେଭା ଯାଇଥିଲେ । ଯିବା ପୂର୍ବରୁ ସେ ଜେଟଲୀଙ୍କୁ କହିଥିଲେ କି ଆପଣ ବ୍ୟାଙ୍କମାନଙ୍କ ସହ ଆଲୋଚନା କରନ୍ତୁ ସେମାନେ ମୋ ସହ ବୈଠକ କରି ଋଣ ବାବଦରେ ସମାଧାନର ବାଟ ବାହାର କରିବେ ।