ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା |

218

କଟକ (ଉତ୍କଳ ନ୍ୟୁଜ )୨୯.୫.୨୦୨୫ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଧିରେଧିରେ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଯାହା ଫଳରେ ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି।ଗୁରୁବାର ସକାଳ ସାଢ଼େ ୫ଟା ସୁଦ୍ଧା, ଘନୀଭୂତ ଲଘୁଚାପ ୨୦.୮ ଡିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୮.୪ ଡିଗ୍ରି ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରିତ ହୋଇଛି। ଆଇଏମଡି ଅନୁଯାୟୀ, ଘନୀଭୂତ ଲଘୁଚାପ ବର୍ତ୍ତମାନ ସାଗର ଦ୍ୱୀପଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ସେହିପରି ଦୀଘାଠାରୁ ୧୩୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ପାରାଦୀପଠାରୁ ୧୯୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ବାଂଲାଦେଶର ଖେପୁପାରାର ପଶ୍ଚିମ-ଦକ୍ଷିଣପଶ୍ଚିମରେ ୨୧୦ କିଲୋମିଟର ଦୂରରେ ଅବସ୍ଥିତ।