ଚାନ୍ଦବାଲିରେ ବିଜେପି ନେତାଙ୍କ ଗୁଣ୍ଡାଗିରି ବିରୋଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ |

355

କଟକ (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୫ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେପି ନେତାଙ୍କ ଗୁଣ୍ଡାଗିରି ବିରୋଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଥାନା ଭିତରୁ ଅଭିଯୁକ୍ତକୁ ଖସାଇ ନେଇଥିବା ନେତାଙ୍କ ଗିରଫ୍ ଦାବି କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁଯାଇ, ଚାନ୍ଦବାଲିରେ ଦିନକୁ ଦିନ ବଢୁଛି ବିଜେପି ନେତାଙ୍କ ଗୁଣ୍ଡାଗିରି । ସାଧାରଣ ଲୋକଙ୍କ ଠାରୁ ପୋଲିସ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖାଉଛନ୍ତି ନାଲିଆଖି । ଯିଏ ବିଜେପି ଦଳକୁ ବିରୋଧ କଲା ତାକୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଥିବା ବେଳେ ଯିଏ ସମର୍ଥନ କଲା ତା’ର ସବୁ ଭୂଲକୁ ମାପ କରି ଦିଆଯାଉଛି । ଏମିତି କି କୋର୍ଟ ଚାଲାଣ ହେବାକୁ ଥିବା ଅଭିଯୁକ୍ତକୁ ମଧ୍ୟ ଜୋର ଜବରଦସ୍ତ ଥାନା ଭିତରୁ ବାହାର କରି ମୁକ୍ତ କରି ଦିଆଯାଉଛି । ଏମିତି କିଛି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗର୍ଜିଲା ଚାନ୍ଦବାଲି ବିଜେଡ଼ି । ସୂଚନା ମୁତାବକ, ଚଳିତ ମାସ ୧୦ ତାରିଖ ଦିନ କୌଣସି ଏକ ମାମଲାରେ ମତୋ ଅଞ୍ଚଳର ଜଣେ ଯୁବକକୁ ଚାନ୍ଦବାଲି ପୋଲିସ ଥାନାରେ ଅଟକ ରଖିଥିଲା । କାଗଜପତ୍ର ପ୍ରସ୍ତୁତ କରି ଯାହାକୁ କିଛି ସମୟ ପରେ କୋର୍ଟ ଚାଲାଣ କରିଥାଆନ୍ତା । ମାତ୍ର ସେହି ସମୟରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକାନ୍ତ ସହଯୋଗୀ ତଥା ୨ ନମ୍ବର ଜୋନର ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ ପାର୍ôଥ ଅଶୋକ କୁମାର ରାଉଳ ଥାନାରେ ପହଂଚିଥିଲେ । ଅଭିଯୁକ୍ତ ଯୁବକକୁ ଜୋର ଜବରଦସ୍ତ ଥାନା ଲକ୍‌ଅପରୁ ବାହାରକୁ ଆଣି ଏକ ନାଲି ରଙ୍ଗର ଗାଡ଼ିରେ ବସାଇ ନେଇ ଯାଇଥିଲେ । ଦାଇତ୍ୱରେ ଥିବା କନେଷ୍ଟବଳ ଜଣଙ୍କ ଯେତେ ରୋକିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ସମ୍ପୃକ୍ତ ନେତାଙ୍କୁ କେନେଷ୍ଟବଳ ଜଣଙ୍କ ନେହୁରା ହୋଇଥିଲେ ହେଲେ ନେତା ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧକ୍କା ମାରି “ମୁଁ ନେଇ ଯାଉଛି କିଏ କଣ କରିବ” କହି ସ୍ଥାନ ଛାଡି ଥିଲେ । ବିଜେପି ନେତାଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ମନମୋହନ ସାମଲଙ୍କୁ ଦାୟୀ କରିବା ସହ ଏଭଳି ମାନସିକତାକୁ ବିଜୁ ଯୁବ ଜନତା ଦଳ, ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ କଡା ସମାଲୋଚନା କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |