ପୋଲିସ ପକ୍ଷରୁ ଥାନା ମଧ୍ୟରେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ |

233

କଟକ (ଉତ୍କଳ ନ୍ୟୁଜ ) ୭-୦୨-୨୦୨୫ ; ଭଦ୍ରକ ଟାଉନ ଥାନା ପୁଲିସ ବିରୋଧରେ ଜଣେ ଯୁବକଙ୍କୁ ଥାନା ମଧ୍ୟରେ ନିସ୍ତୁକ ମାଡ ମାରିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତକାଲି (ଗୁରୁବାର) ଭଦ୍ରକ ସହର ନିକଟରେ ଥିବା ମୋଟେଲ ଛକ ନିକଟରେ କୌଣସି ଘଟଣା କୁ କେନ୍ଦ୍ର କରି ମଦ୍ୟପ ସ୍ୱାମୀ ଜୀବନ ଜେନା ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରବଳ ଝଗଡା ଲାଗିଥିବା ବେଳେ ଅନ୍ୟ ଜଣେ ଅଜଣା ମହିଳା ଝଗଡାର ସମାଧାନ କରିବା ପାଇଁ ହସ୍ତକ୍ଷେପ କରିଥିଲେ । ତେବେ ଏହି ମହିଳାଙ୍କୁ ମଧ୍ୟ ମଦ୍ୟପ ଯୁବକ ଜଣକ ଛାଡି ନଥିଲେ । ତାଙ୍କୁ ମଧ୍ୟ ସେ ଗାଳିଗୁଲଜ କରିବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଏନେଇ ସୂଚନା ପାଇ ଭଦ୍ରକ ଟାଉନ ଥାନା ପୁଲିସର ଏକ ପିସିଆର ଭେନ ଘଟଣା ସ୍ଥଳରେ ପହଂଚିଥିଲା । ପରେ ଏହି ଝଗଡା ରେ ପୋଲିସର ଏଣ୍ଟ୍ରିି ହୋଇଥିଲା । ପୁଲିସ ପହଂଚିବା ପରେ ଅନ୍ୟ ଅଜଣା ମହିଳା ଜଣକ ମଧ୍ୟ ପୁଲିସ ସମ୍ମୁଖରେ ଯୁବକଙ୍କୁ ମାଡ ମାରିବା ସହ ବେଶ୍ କିଛି ସମୟ ଧରି ରାସ୍ତା ରେ ଚାଲିଥିଲା ହାଇଡ୍ରାମା । ଶେଷରେ ମଦ୍ୟପ ଯୁବକଙ୍କୁ ପୁଲିସ କାବୁ କରି ଥାନାକୁ ନେଇ ଯାଇଥିଲା । ତେବେ ପୋଲିସ ଜୀବନଙ୍କୁ ଥାନା କୁ ଆଣିବା ପରେ ସନ୍ଧ୍ୟା ସମୟରେ ତାଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତିି କରିଥିଲା । ଏନେଇ ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ମେଡିକାଲରେ ଜୀବନଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ତାଙ୍କ ଦେହ ସାରା ମାଡ ମରାଯାଇ ଥିବାର ଚିହ୍ନ ଦେଖିଥିଲେ । ଯାହାକୁ ନେଇ ଭଦ୍ରକ ମେଡିକାଲ ପରିସରରେ ପୁଣି ଥରେ ପୁଲିସ ଏବଂ ଜୀବନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଥା କଟାକଟି ସହ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଶେଷରେ ତରବରିଆ ଭାବେ ଭଦ୍ରକ ଟାଉନ ଥାନା ପୋଲିସ ଜୀବନଙ୍କୁ ମେଡିକାଲରୁ ନେଇଯିବା ପରେ ତାଙ୍କୁ ରାତିରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ହେଲେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରା ଯାଇନାହିଁ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |