ଷ୍ଟପ୍ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡିଗଲା ଗୋରୁ ବୋଝେଇ ଗାଡି, ଅଳ୍ପକେ ବଂଚିଗଲେ ଏଏସଆଇ ।

263

କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୪: ଷ୍ଟପ୍ ବୋର୍ଡ ଭାଙ୍ଗି ପୋଲିସ ଆଡକୁ ମାଡିଗଲା ଗୋରୁ ବୋଝେଇ ଗାଡି । ବେଆଇନ୍ ବେପାରରେ ବାଧକ ସାଜିଥିବା ପୋଲିସ ବାବୁଙ୍କୁ ଜୀବନରୁ ମାରିଦେବା ଲାଗି ଗାଡିଟି ମାଡି ଯାଇଥିଲା ଏବଂ କୌଣସିମତେ ବାବୁଙ୍କ ଜୀବନ ବଂଚି ଯାଇଥିବା ଜଣାଯାଇଛି । ଗାଡିର ପିଛା କରିଥିଲେ ହେଁ କୌଣସି ଖୋଜ ଖବର ମିଳିନଥିଲା ଏବଂ ଶେଷରେ ଥାନାରେ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚାଲୁ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ସମ୍ମୁଖସ୍ଥ ରାଜ୍ୟ ରାଜପଥରେ । ସୂଚନା ମୁତାବକ, ଗତ ତା ୨୬.୧୧.୨୪ରିଖ ରାତି ପ୍ରାୟ ୮.୩୦ ଘଟିକାରେ ଏକ ଗୋରୁ ବୋଝେଇ ଗାଡି ଚାନ୍ଦବାଲିିରୁ ବାହାରି ଏହି ଥାନା ଦେଇ ଭଦ୍ରକ ଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ପାଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିଙ୍କ ସମେତ ଏଏସଆଇ କମଳାକାନ୍ତ ଶତପଥି ଓ ଲକ୍ଷ୍ମଣ ମାରଣ୍ଡୀ, ହାବିଲଦାର ବିଦ୍ୟାଧର ସୁତାର, କନଷ୍ଟବଳ ହରେକୃଷ୍ଣ ଦୀକ୍ଷିତ ଏବଂ ଅନ୍ୟମାନେ ସମସ୍ତେ ଥାନା ସମ୍ମୁଖରେ ଉକ୍ତ ଗାଡିକୁ ଅଟକାଇବା ପାଇଁ ପ୍ରସ୍ତୁତି ହୋଇଥିଲେ ଏବଂ ଥାନାରେ ଥିବା ଦୁଇଟି ଷ୍ଟପ୍ ବୋର୍ଡ ରାସ୍ତା ଉପରେ ଲଗାଇ ଚେକିଂ ମଧ୍ୟ କରିଥିଲେ । କିଛି ସମୟ ମଧ୍ୟ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ ତିହିଡି ବଜାର ଆଡୁ ଭଦ୍ରକ ଯାଉଥିବାର ଦେଖି ଏଏସଆଇ ଶ୍ରୀ ଶତପଥି ରାସ୍ତାର ଡାହାଣ ପାଖରେ ଏକ ଷ୍ଟପ୍ ବୋର୍ଡ ଲଗାଇ ଠିଆ ହୋଇଥିବା ବେଳେ ହଠାତ୍ ଗୋରୁ ବୋଝେଇ ଗାଡିଟି ତାଙ୍କୁ ଜୀବନରୁ ମାରି ଦେବା ଉଦ୍ଦେଶ୍ୟରେ ଜାଣିଶୁଣି ତାଙ୍କ ଆଡକୁ ଖୁବ ଜୋରରେ ମାଡି ଯାଇଥିଲା । ଜୀବନ ବଞ୍ଚାଇବାକୁ ଯାଇ ରାସ୍ତାର ଡାହାଣ ପାଖକୁ ଡେଇଁ ପଡିବାରୁ ଅଳ୍ପକେ ତାଙ୍କର ଜୀବନ ରକ୍ଷା ହୋଇଯାଇଛି । ଦୁଇଟି ଷ୍ଟପ୍ ବୋର୍ଡ ଭାଙ୍ଗିଥିବା ବେଳେ ଉକ୍ତ ଗାଡିର ପିଛା କରାଯାଇଥିଲା । ମାତ୍ର କୌଣସି ସନ୍ଧାନ ମିଳିନଥିଲା । ଘଟଣାକୁ ନେଇ ଶ୍ରୀ ଦିକ୍ଷୀତଙ୍କ ଏତଲା ମୂଳେ ଉକ୍ତ ଅଜଣା ପିକଅପ୍ ଭ୍ୟାନର ଥିବା ଡ୍ରାଇଭର ଏବଂ ମାଲିକ ବିରୋଧରେ ଥାନାରେ ଏକ ମାମଲା ୫୨୭/୨୪, ଦଫା ୧୦୯, ୩୨୪(୪) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁଥିବା କହିଛନ୍ତି ଆଆଇସି ପ୍ରସନ୍ନ କୁମାର ନାୟକ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |