କଟକ (ଉତ୍କଳ ନ୍ୟୁଜ ) ୧୯-୦୭-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ କମାରିଆ ବଜାରସ୍ଥିତ ମହାବୀର ହୋଟେଲ ସମ୍ମୁଖରେ ଗତ ତା ୧୪.୦୭.୨୪ରିଖରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ୍ କରିଛି ପୋଲିସ । କୋହ୍ଲ ମଝୀସାହି ଗାଁର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପୁଅ ଦିପୁନୁ ସାହୁ ଓରଫ୍ ମଞ୍ଜିତ କୁମାର ସାହୁ(୨୭) ଓ କୋହ୍ଲ ଓରଡା ଉଆସ ଗାଁର ଜଗନ୍ନାଥ ଦାସଙ୍କ ପୁଅ ଶୁଭ ମହାଳିକ ଓରଫ୍ ଶୁଭଙ୍କର ବୋଲି ସୂଚନା ମିଳିଛି । ପୀରହାଟ କାନପୁର ଗାଁର ସମିର ଓଝାଙ୍କ ଏତଲା ମୂଳେ ୯ ଜଣଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା । ପୋଲିସ ଏନେଇ ଏକ ମାମଲା ୩୨୬/୨୪, ଦଫା ୧୨୬ (୨), ୧୧୫ (୨), ୧୧୭ (୨), ୨୯୬, ୩୨୪ (୪), ୩୦୩ (୨), ୩୫୧ (୨), ୩ (୫) ବିଏନଏସ ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ଏଠାରେ ସୂଚନା ଥାଉକି, ଗଣ୍ଡଗୋଳ କେଉଁଠୁ ଆରମ୍ଭ ହେଲା ତାହା ସ୍ପହ୍ଟ ହୋଇନଥିଲେ ମଧ୍ୟ ବାଡି ଠେଙ୍ଗା ସହିତ ଲୁହା ରଡ୍ରେ ଅତି ଅମାନୁଷିକଭାବେ ଆକ୍ରମଣ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରାସ୍ତା ଯାଉଥିବା ଯାତ୍ରୀାମନେ ଭିଡିଓ କରି ପୋଲିସକୁ ଦେଇଥିଲେ । ବଜାରସ୍ଥିତ ଦୋକାନୀମାନେ ହସ୍ତକ୍ଷେପ କରିନଥିବା ମଧ୍ୟ ଟ୍ରୋଲ ହେବାରେ ଲାଗିଛି । ପୋଲିସ ଏହାକୁ ଏକ ସମ୍ବେଦନଶୀଳ ଘଟଣାଭାବେ ବିବେଚିତ କରି ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ସୂଚନା ମୁତାବକ, ସେଦିନ ଥିଲା ସମିର ଓଝାଙ୍କ ଝିଅ ବାହାଘର । ଏନେଇ ବରଯାତ୍ରୀଙ୍କ ନିମନ୍ତେ ମହାବୀର ହୋଟେଲରେ ଭୋଜନର ଆୟୋଜନ କରାଯାଇଥିଲା । ଉକ୍ତ ହୋଟେଲରେ ୩ଟି ପକ୍ଷଙ୍କ ନିମନ୍ତେ ଭୋଜନର ଆୟୋଜନ ମଧ୍ୟ ହୋଇଥିଲା । ସମିର ଓଝାଙ୍କ ପକ୍ଷ ତଳ ମହଲାରେ ଭୋଜନ କରିବା ପାଇଁ ଅପେକ୍ଷା କରିଥିବା ବେଳେ ଉପର ମହଲାରେ ୨ ପକ୍ଷ ଭୋଜନ କରୁଥିଲେ । ଅପରାହ୍ନ ପ୍ରାୟ ୨.୩୦ ଘଟିକାରେ ଉପର ମହଲାରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ହଠାତ୍ ସେମାନେ ତଳକୁ ଆସିଥିଲେ ଏବଂ ଉଗ୍ରରୂପ ନେଇ ଗଣ୍ଡଗୋଳ । ଗୁଣ୍ଡା ପ୍ରକୃତିର ଯୁବକମାନେ ଘଟଣା ସମ୍ପର୍କରେ କିଛି ନବୁଝି ନଶୁଝି ତଳ ମହଲାରେ ଖାଉଥିବା ଶ୍ରୀ ଓଝାଙ୍କ ଲୋକମାନଙ୍କ ଉପରେ ଆକସ୍ମିକ ଭାବେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଘଟଣା ସ୍ଥଳରେ ଶ୍ରୀ ଓଝାଙ୍କ ପକ୍ଷର ସଞ୍ଜୟ ପରିଡା, ଖଗେଶ୍ୱର ଓଝା, ଅଶୋକ ଓଝା, ବିବେକାନନ୍ଦ ପରିଡା ଓ ଲକ୍ଷ୍ମଣ ବଳ ପ୍ରମୁଖ ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏଥିସହ ୧୦ରୁ ଉର୍ଦ୍ଧ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିଲେ । ଅଭିଯୁକ୍ତମାନେ ଆକ୍ରମଣ କରିବା ସହିତ ଝିଅ ଓ ବୋହୁମାନଙ୍କର ସୁନା ଅଳଙ୍କାର ସମେତ ନଗଦ୍ ଟଙ୍କା ନେଇ ଯାଇଥିଲା । କେବଳ ସେତିକି ନୁହେଁ ଶ୍ରୀ ଓଝାଙ୍କ ତରଫରୁ ଆୟୋଜିତ ହୋଇଥିବା ଦେଢ ଶହ ଲୋକଙ୍କର ଖାଦ୍ୟ ମଧ୍ୟ ନଷ୍ଟ କରି ଦେଇଥିଲେ । ରାଜ୍ୟ ରାଜପଥରେ କେଇ ଘଣ୍ଟା ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ଅଭିଯୁକ୍ତ । ହାତରେ ବାଡି, ଠେଙ୍ଗା, ଲୁହା ରଡ୍ ଓ ଲୁହା ଚେନ୍ ଧରି ମାରପିଟ୍ କରିଥିବା ଏବଂ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିବା ଶ୍ରୀ ଓଝା ଏତଲାରେ ଦର୍ଶାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିବା ବେଳକୁ ଅଭିଯୁକ୍ତମାନେ ଗଣ୍ଡଗୋଳରେ ବ୍ୟବହୃତ ସରଞ୍ଜାମ ନେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ସାକ୍ଷ୍ୟପ୍ରମାଣ ସଂଗ୍ରହ କରିବା ପରେ ପୋଲିସ ଏହି ୨ ଜଣଙ୍କୁ ଗିରଫ୍ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |