କଟକ (ଉତ୍କଳ ନ୍ୟୁଜ) ୦୭.୧୦.୨୦୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ–୨୦୨୬” ଚୟନ ପର୍ଯ୍ୟାୟ ଆଜି ତୃତୀୟ ଦିନରେ ପହଞ୍ଚିଛି। ନେତାଜୀ ସଂସ୍କୃତି ଭବନଠାରେ ଆଜି ଚାରିଟି ନାଟକ ପରିବେଷିତ ହୋଇଥିଲା। ନାଟ୍ୟ ଶାସ୍ତ୍ରର ଉତ୍ପତ୍ତିଠାରୁ ନେଇ ପରିବେଶ ସଚେତନତା ଓ ସାଂସ୍କୃତିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ନାଟକଗୁଡ଼ିକ ଦର୍ଶକଙ୍କୁ ବିମୋହିତ କରିବା ସହ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲା। ତୃତୀୟ ଦିନର ପ୍ରଥମ ପ୍ରଦର୍ଶନରେ ରାଧାନାଥ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡି ଅଫ ଏଜୁକେସନ୍ ପକ୍ଷରୁ “ଜର୍ଜର” ନାଟକ ପରିବେଷିତ ହୋଇଥିଲା। ଏଥିରେ ନାଟ୍ୟକଳାର ଇତିହାସ ଓ ଏହାର କ୍ରମବିକାଶକୁ ଏକ ନିଆରା ଢଙ୍ଗରେ ମଞ୍ଚସ୍ଥ କରାଯାଇଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ମୋହନ ସୁବୁଦ୍ଧି କଲେଜ, ବଡମ୍ବା ପକ୍ଷରୁ ପରିବେଶ ସୁରକ୍ଷା ଉପରେ ଆଧାରିତ “ମାନ-କି” ନାଟକ ଉପସ୍ଥାପିତ ହୋଇଥିଲା। ସେହିପରି, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ “ଶିଳ୍ପୀର ହସ୍ତେ” ନାଟକ ମାଧ୍ୟମରେ କଟକର ଐତିହାସିକ ତାରକସି କଳା ଏବଂ ଏହା ସହ ଜଡ଼ିତ ଶିଳ୍ପୀମାନଙ୍କ ନିଷ୍ଠା, ପରିଶ୍ରମ ଓ ଜୀବନ ସଂଘର୍ଷକୁ ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଥିଲା।

ତୃତୀୟ ଦିନର ଶେଷ ପ୍ରଦର୍ଶନରେ ରେଭେନ୍ସା କଲେଜ ପକ୍ଷରୁ କନ୍ୟାଭ୍ରୂଣ ହତ୍ୟା ଭଳି ଏକ ସମ୍ବେଦନଶୀଳ ସାମାଜିକ ସମସ୍ୟାକୁ ଆଧାର କରି “ଅଦୃଶ୍ୟ ଅପରାଧୀ” ନାଟକ ପରିବେଷିତ ହୋଇଥିଲା। ନାଟକଟି ଦର୍ଶକଙ୍କ ମନରେ କନ୍ୟା ସନ୍ତାନର ସୁରକ୍ଷା, ସମାନତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଗଭୀର ଚିନ୍ତନ ସୃଷ୍ଟି କରିଥିଲା। ଅଭିନୟ, ନିର୍ଦ୍ଦେଶନା, ସଂଳାପ, ମଞ୍ଚସଜ୍ଜା ଓ ସଙ୍ଗୀତର ସୁନ୍ଦର ସମନ୍ୱୟ ନାଟକଗୁଡ଼ିକୁ ଆହୁରି ଆକର୍ଷଣୀୟ କରିଥିଲା। ଆଜିର ଚୟନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟି ଉପଦେଷ୍ଟା ତଥା ସିନେ ତାରକା ଶ୍ରୀତମ ଦାସ, ନାଟ୍ୟ ପରାମର୍ଶଦାତା ତଥା ବିଚାରକମଣ୍ଡଳୀର ସଦସ୍ୟ ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।