କଟକ ( ଉତ୍କଳ ନ୍ୟୁଜ ) ୦୭-୧୦-୨୦୨୬ : , କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବାର୍ଷିକ କ୍ରେଡିଟ ଯୋଜନା ଓ ଏହାର ବାର୍ଷିକ ଲକ୍ଷ୍ୟ ହାସଲ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଋଣ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥଲା । ଅଧ୍ୟକ୍ଷତା ପୂର୍ବକ ଡଃ. ମହତାବ ବ୍ୟାଙ୍କଗୁଡିକରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ଅଟଳ ପେନସନ ଯୋଜନାରେ ପଞ୍ଜୀକରଣର ଅନୁପାତ ଉପରେ ସମୀକ୍ଷା କରିଥିଲେ । ଏଥି ସହ ଉପସ୍ଥିତ ବ୍ୟାଙ୍କ ଗୁଡିକରେ ବିଭିନ୍ନ ବିଭାଗର ଋଣ ଅନୁମୋଦନ ପାଇଁ ବାକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ସହ କୃଷି , ପଶୁପାଳନ, ମତ୍ସ୍ୟ,ଉଦ୍ୟାନକୃଷି,ଶିଳ୍ପୀ ଉନ୍ନତି ଯୋଜନା, ପ୍ରଧାନମନ୍ତ୍ରୀ ବଳରାମ ଯୋଜନା,ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନ କରି ଜିଲ୍ଲାର ଉନ୍ନତିରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ,ମାହାଙ୍ଗା ଶ୍ରୀ ସାରଦା ପ୍ରସାଦ ପ୍ରଧାନ ଆଵଶ୍ୟକତା ଅନୁଯାୟୀ ଗ୍ରାମାଞ୍ଚଳ ମାନଙ୍କରେ ନୂତନ ବ୍ୟାଙ୍କ ସେବା ଉପଲବ୍ଧ କରାଇବା, ଲୋକଙ୍କ ସୁବିଧା ଅନୁସାରେ ବ୍ୟାଙ୍କର ସ୍ତାନାନ୍ତରଣ ଆଦି ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡ଼ିଡ଼ିଏମ ନାବାର୍ଡ କଟକ, ପ୍ରକ୍ସିମା ପରିଡା, ଆର ବି ଆଇ ଏଲଡିଓ ରାହୁଲ କାନ୍ତ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ଲିଡ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସତ୍ୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।