ରାଣୀହାଟ ହାଇସ୍କୁଲ ୧୯୮୦ ବ୍ୟାଚ୍‌ର ଶାରଦୀୟ ବନ୍ଧୁ ମିଳନ |

83

କଟକ, ( ଉତ୍କଳ ନ୍ୟୁଜ ). ୫-୧୦-୨୬ : ରାଣୀହାଟ ହାଇସ୍କୁଲର ୧୯୮୦ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ଶାରଦୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। କମ୍ପ୍ୟୁଟର ଲ୍ୟାବ୍‌ର ସିଇଓ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ନିମନ୍ତ୍ରଣକ୍ରମେ ଆୟୋଜିତ ଏହି ବନ୍ଧୁ ମିଳନରେ ୭୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ।ଏହି ଅବସରରେ ଶ୍ରୀ ସାହୁଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରିୟା ସାହୁଙ୍କ ସମେତ ପୁତ୍ରବଧୂ ସଞ୍ଜିତା ଓ ସ୍ନେହମୟୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସେହିପରି ଶ୍ରୀ ସାହୁଙ୍କ କନ୍ୟା ଓ ଜ୍ୱାଇଁ ସୌମ୍ୟଶ୍ରୀ ଓ ସିଦ୍ଧାର୍ଥ ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ ଜଣାଇଥିଲେ। ଦୀର୍ଘଦିନ ପରେ ସ୍କୁଲ ଜୀବନର ବନ୍ଧୁମାନେ ଏକାଠି ହୋଇଥିବାରୁ ସେଠାରେ ଏକ ଉତ୍ସାହ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ବନ୍ଧୁ ମିଳନରେ ନୂତନ ଭାବେ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗଦେଇଥିବା ପୁରାତନ ଛାତ୍ର ଶ୍ରୀ କେ.ଆର୍. ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଯାଇଥିଲା।ଏଥିରେ ଶିଳ୍ପପତି ଶ୍ରୀ ପ୍ରଦୀପ ଛାଟୋଇ, ସମାଜସେବୀ ଶ୍ରୀ ଅକ୍ଷୟ ଖଟୁଆ, ଆଡଭୋକେଟ୍‌ ତଥା ନୋଟାରୀ ହରପ୍ରିୟା ଚୌଧୁରୀ, ଶ୍ରୀମତୀ ନଳିନୀ ସାହୁ, ଆର୍‌ଟିଓ ବସନ୍ତ ବେହେରା, କବୟିତ୍ରୀ ମଞ୍ଜୁଳା ପ୍ରଧାନଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ଅବସରରେ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ବନ୍ଧୁଙ୍କୁ ବୃକ୍ଷ ଉପହାର ଦେଇଥିଲେ। ଏହା ପରିବେଶ ସୁରକ୍ଷା ସହ ବନ୍ଧୁତ୍ୱର ସ୍ମୃତିକୁ ଚିରସ୍ଥାୟୀ କରିବାର ଏକ ନିଆରା ପ୍ରୟାସ ଥିଲା। ଶେଷରେ ସାମ୍ବାଦିକ ସୁବାସ ମହାରଣା ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।