କଟକ,( ଉତ୍କଳ ନ୍ୟୁଜ ) ୨୬-୦୯-୨୬ : କଟକ ମହାନଗର ନିଗମର ମେୟର ସୁବାସ ସିଂହଙ୍କ ତେଲୁଗୁ ସମ୍ପ୍ରଦାୟ ସମ୍ପର୍କିତ ଏକ ମନ୍ତବ୍ୟକୁ ନେଇ କଟକ ମହାନଗର ତେଲୁଗୁ ସମାଜମ୍ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ମନ୍ତବ୍ୟ ତେଲୁଗୁ ସମ୍ପ୍ରଦାୟର ସ୍ୱାଭିମାନ ଓ ଗାରିମାକୁ କ୍ଷୁଣ୍ଣ କରିଥିବା ସମାଜମ୍ ପକ୍ଷରୁ ଅଭିଯୋଗ କରାଯାଇଛି। ସମାଜମ୍ ପକ୍ଷରୁ କୁହାଯାଇଛି ଯେ, କଟକ ସହରରେ ଶତାବ୍ଦୀ ଧରି ତେଲୁଗୁ ସମ୍ପ୍ରଦାୟର ଲୋକେ ଓଡ଼ିଆ ସମାଜ ସହ ଭାଇଚାରାର ସହ ରହି ଆସୁଛନ୍ତି। ସହରର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ତେଲୁଗୁ ସମାଜର ଅବଦାନ ରହିଛି। ବର୍ତ୍ତମାନ ଏହି ସମ୍ପ୍ରଦାୟର ବହୁ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଆଇନ, ଇଞ୍ଜିନିୟରିଂ, କଳା, ସାହିତ୍ୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ସମାଜମ୍ ପକ୍ଷରୁ କୁହାଯାଇଛି। ସଫେଇ କର୍ମଚାରୀଙ୍କ ଶ୍ରମ ଓ ସେବାକୁ ସମାଜମ୍ ପକ୍ଷରୁ ସମ୍ମାନ ଜଣାଯାଇଥିବାବେଳେ ସମଗ୍ର ତେଲୁଗୁ ସମ୍ପ୍ରଦାୟକୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ସହ ଯୋଡ଼ି ଦେଖାଇବା ଅନୁଚିତ ବୋଲି ମତ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ପ୍ରକୃତ ତଥ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ରଖିବା ପାଇଁ ଶୁକ୍ରବାର ‘ସମାଜ’ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଟି. ଜଗଦୀଶ ରାଓ, ୱାଇ. ଲକ୍ଷ୍ମଣ ରାଓ, କେ. ରାକେଶ କୁମାର, ୱାଇ. ଶ୍ରୀକାନ୍ତ ରାଓ, ଜି. ଭାସ୍କର ରାଓ ଏବଂ ଇ. ମୁରଲୀ କ୍ରିଷ୍ଣା ନାଇଡୁ (ୱାର୍ଡ ନମ୍ବର ୧୭ ଶକ୍ତି କେନ୍ଦ୍ର ପ୍ରମୁଖ, ବିଜେପି) ପ୍ରମୁଖ ଉପସ୍ଥିତ ଥିଲେ। ମେୟରଙ୍କ ମନ୍ତବ୍ୟକୁ ନେଇ ସେମାନେ ନିଜ ମତ ରଖିବା ସହ କଟକର ଦୀର୍ଘଦିନର ଭାଇଚାରା ଓ ସାମାଜିକ ସୌହାର୍ଦ୍ଦ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।