କଟକ ( ଉତ୍କଳ ନ୍ୟୁଜ )୨୬-୦୯-୨୬ : . ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଶିକ୍ଷକ ପଦନ୍ୱତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟିନୀ ମହାରଣା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ହାସଲ ଲାଗି ଆବେଦନ କରିଥିବା ଜଣା ଯାଇଛି । ସୂଚନା ମୁତାବକ, ଚଳିତ ମାସ ଶିକ୍ଷକମାନଙ୍କର ପଦନ୍ୱତି ହୋଇଛି । ଏହି ବ୍ଲକରେ ଲେବୁଲ୍-୩ରେ ୨୫ ଜଣ ଓ ଲେବୁଲ୍-୪ରେ ୧୪୭ ଜଣଙ୍କ ପଦନ୍ୱତି ହୋଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଲେବୁଲ୍-୩କୁ ପଦନ୍ୱତି ହୋଇଥିବା ଶିକ୍ଷକଙ୍କ ବିରୋଧରେ ଶ୍ରୀମତୀ ମହରଣା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ଆଶିଶ କୁମାର ସାହୁ, ତାଳପଦା ୟୁଜିୟୁପିରେ ଶିକ୍ଷକତା କରନ୍ତି । ଏହି ପଦନ୍ୱତି ପ୍ରକ୍ରିୟାରେ ତାଙ୍କର ଚାନ୍ଦବାଲି ବ୍ଲକକୁ ବଦଳି ହୋଇଛି ଏବଂ ସେ ସେଠାରେ ଯୋଗଦାନ କରିଥିବା ମଧ୍ୟ ଜଣାଯାଇଛି । ଶ୍ରୀ ସାହୁ ଶିକ୍ଷା ବିଭାଗକୁ ଦେଇଥିବା ସୂଚନା ଅନୁଯାଇ ସେ ୨୦୦୩ ମସିହାରେ ଶିକ୍ଷକଭାବେ ନିଯୁକ୍ତି ପାଇଛନ୍ତି । ୨୦୦୪ ମସିହାରେ ସୋରୋରୁ ରେଗୁଲାର କୋର୍ସରେ ବିଜ୍ଞାନ ସ୍ନାତକ ପାଶ କରିଛନ୍ତି ଏବଂ ୨୦୦୯ ମସିହାରେ ଚାକିରୀରେ ରେଗୁଲାର ମଧ୍ୟ ହୋଇଛନ୍ତି । ତେବେ ଚାକିରୀରେ ରହି କେମିତି ପ୍ରାକ୍ଟିକାଲ୍ ସହ ରେଗୁଲାର କ୍ଲାସ କଲେ, ରେଗୁଲାର ହେବା ସମୟରେ ତାହା ଯାଂଚ କରାଯାଇ ଥିଲା କି ନାହିଁ ! କେଉଁ ଆଦେଶ ବଳରେ ସେ ଏକ ବର୍ଷ ରେଗୁଲାର କୋର୍ସ କରିଲେ ଏବଂ ଚାକିରୀ ଡ୍ୟୁଟି କେମିତି କଲେ ତାହାର ସୂଚନା ହାସଲ କରିବା ଲାଗି ଶ୍ରୀମତୀ ମହାରଣା ଆବେଦନ କରିଛନ୍ତି । ସେହିପରି ଲେବୁଲ-୪ରେ ପଦନ୍ୱତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ ଫୂର୍ବବତ ସ୍କୁଲରେ ଅଛନ୍ତି । ପଦନ୍ୱତି ହେଲେ ବଦଳି ହେବା କଥା କ’ଣ ପାଇଁ ଶିକ୍ଷା ବିଭାଗ ତାହାକୁ କାର୍ଯ୍ୟକାରୀ କରିଲେ ନାହିଁ ତାହାର କାରଣ ଜାଣିବାକୁ ଚାହିଁଛନ୍ତି । ଲେବୁଲ୍-ଭି ପଦନ୍ୱତି ପ୍ରକ୍ରିୟାରେ ହାଇକୋର୍ଟରେ ରହିତାଦେଶ ହୋଇଥିବା ବେଳେ ଶିକ୍ଷା ବିଭାଗ ଅତି ତରବରିଆଭାବେ ତଥା ଚତୁରତା ପୂର୍ବକ ଭାବେ ପୂର୍ବ ତାରିଖ ସୂଚିତ କରି ପଦନ୍ୱତି ପ୍ରକ୍ରିୟା ସାରି ଦେଇଥିବା ଅଭିଯୋଗ କରିଛନ୍ତ ଶ୍ରୀମତି ମହାରଣା । ସମ୍ପୂର୍ଣ୍ଣ ଘଟଣାର ସାନି ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ଦାବୀ କରିଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଳିକଙ୍କୁ ପଚାରିବାରୁ ପଦନ୍ୱତି ପାଇ ବଦଳି ହୋଇଥିବା ଶିକ୍ଷକ ଆଶିଶ କୁମାର ସାହୁଙ୍କ ଶିକ୍ଷା ସମ୍ବଦ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ ଚାଲିଛି ସେଥିରେ କୌଣସି ତୃଟି ଥିଲେ ବିହିତ ପଦକ୍ଷେପ ନିଆଯିବ ଏବଂ ଲେବୁଲ୍-୪କୁ ପଦନ୍ୱତି ପାଇଥିବା ଶିକ୍ଷକମାନଙ୍କର ଭେରିଫିକେସନ୍ କରାଯାଇ ଖୁବ୍ ଶିଘ୍ର ବଦଳି କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |