ତିହିଡି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ୨୪୫ ଜଣ ପଞ୍ଜିକୃତ।

149

ତିହିଡି,( ଉତ୍କଳ ନ୍ୟୁଜ ). ୧୯-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ସ୍ଥାନୀୟ ସିଆରଏସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପିଇଓ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡ଼ିଓ ନିରଞ୍ଜନ ବାରିକ, ଅତିରିକ୍ତ ତହସିଲଦାର ସୌମ୍ୟରଂଜନ ଜେନା, ଏଡିଇଓ ସତ୍ୟବ୍ରତ ପାଢ଼ୀ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନେ ଅକ୍ଷମ ନୁହନ୍ତି ବରଂ ସେମାନଙ୍କୁ ଚିହ୍ନଟ କରି ସରଳ ତଥା ସହଜ ପ୍ରକ୍ରିୟାରେ ପ୍ରମାଣ ପତ୍ର ପ୍ରଦାନ ସହିତ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି କହିଥିଲେ ।

ଏହି ଅଭିଯାନକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ଏବିଡ଼ିଓ ମୀନକେତନ ବାରିକ, ସହକାରୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ଓ ନୋଡାଲ ଏନଜିର ରଞ୍ଜୁଲତା ଗାହାଣଙ୍କ ସମେତ ତିହିଡି ବ୍ଲକ ଓ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ, ବିଭିନ୍ନ ପଞ୍ଚାୟତର ପିଇଓ, ହାଇସ୍କୁଲର ସମସ୍ତ ସ୍କାଉଟ ଗାଇଡ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । ଏହି ଅଭିଯାନରେ ୮୫ ଜଣ ଶାରୀରିକ ଭିନ୍ନକ୍ଷମ, ୪୩ ଜଣ ଦୃଷ୍ଟି ବାଧିତ, ୩୯ ଜଣ ଶ୍ରବଣ ବାଧିତ, ୪୭ ଜଣ ମସ୍ତିଷ୍କ ପକ୍ଷାଘାତ ଓ ୩୧ ଜଣ ଶୁନରୁ ୧୨ ବର୍ଷ ଯାଏଁ ଭିନ୍ନକ୍ଷମ ଶିଶୁଙ୍କୁ ଲଗାଇ ମୋଟ ୨୪୫ ଜଣ ସାମିଲ ହୋଇ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପ୍ରମାଣପତ୍ର ଗ୍ରହଣ କରିଥିଲେ । ସେହିପରି ଏହି ଅବସରରେ ୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କରା ଯାଇଥିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |