କଟକ ( ଉତ୍କଳ ନ୍ୟୁଜ ) ୨୩-୦୭-୨୦୨୬: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଚାଲିଥିବା ଐତିହାସିକ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଯେପରି ଭାବେ ଅମାନୁଷିକ ଆକ୍ରମଣ କରି ଶହ ଶହ ଛାତ୍ର ନେତାଙ୍କୁ ଆଘାତ କରି ହସ୍ପିଟାଲରେ ପକାଇଛନ୍ତି ତାହା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ଆହୁରି ଭୟଙ୍କର ଆକ୍ରମଣ ବୋଲି ଭଦ୍ରକ ଓକିଲ ସଂଘ ଅଭିଯୋଗ କରିଛି । ଦିଲ୍ଲୀ ପୁରୁଷ ପୋଲିସ ପକ୍ଷରୁ ଐତିହାସିକ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିବା ମହିଳା ଆନ୍ଦୋଳନକାରୀ ମାନଙ୍କ ବ୍ୟକ୍ତିଗତ ସମ୍ବେଦନଶୀଳ ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିବା ଘଟଣା ବିଶ୍ୱ ଦରବାରରେ ଭାରତର ଛବିକୁ ମଳିନ କରିଛି ଏବଂ ଏହି ଘଟଣା ପାଇଁ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ସହ ଦାଗୀ ପୋଲିସ ଅଫିସର ମାନଙ୍କୁ ଗିରଫ କରାଯିବାକୁ ଭଦ୍ରକ ଓକିଲ ସଂଘ ଦାବି କରିଛି । ଏହି ଆନ୍ଦୋଳନରେ ଭଦ୍ରକ ଓକିଲ ସଂଘ ସଭାପତି ଅରୁଣ କୁମାର ଚାନ୍ଦ, ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ପୂର୍ବତନ ଓକିଲ ସଂଘ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ବିଶିଷ୍ଟ ଆଇନଜୀବୀ ବିଜନ ଜେନା, ଆଇନଜୀବୀ ସରୋଜ ଦାସ, ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ଜାମିଲ ଅହମ୍ମଦ, ପ୍ରଫୁଲ୍ଲ ସାମଲ, ନିଶିକାନ୍ତ ନାୟକ, ବିଷ୍ଣୁବ୍ରତ ବିଶ୍ୱାଳ, ସନ୍ତୋଷ ନାୟକ, ଗିରିଧାରୀ ନାଥ, ବିକାଶ ନାଥ,ବିଜୟ ରାଉତ, ନାରାୟଣ ମହାନ୍ତି, ମାଧବାନନ୍ଦ ବେହେରା, ଦେବେନ୍ଦ୍ର ନାୟକ, ଉଜ୍ୱଳ ଯେନା, ଅମ୍ରିତ ପ୍ରିତମ ନାୟକ, ଗୁରୁଜ୍ୟୋତି ମହାନ୍ତି, ଦେବବ୍ରତ ମହାପାତ୍ର, ବଦ୍ରିନାରାୟଣ ବେହେରା, ଉଷାଶ୍ରୀ ବାରିକ୍ ଓ କୁତ୍ତଦୀପା କର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ର ଗୃହମନ୍ତ୍ରୀ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟକୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଆକ୍ରମଣକାରୀ ଓ ପାଶବିକ ଅତ୍ୟାଚାରୀ ପୋଲିସ ମାନଙ୍କୁ ଯଦି ଅବିଳମ୍ବେ ଗିରଫ କରାନଯାଏ ତେବେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ବନ୍ଦ କରାଯିବ ଓ ଜୁଲାଇ ୨୪ ତାରିଖରେ ଆମ ଦେଶରେ ସଂଗଠିତ ହେବାକୁ ଥିବା ଐତିହାସିକ ସର୍ବଭାରତୀୟ ଛାତ୍ର ଧର୍ମଘଟକୁ ଭଦ୍ରକ ଓକିଲ ସଂଘ ସମର୍ଥନ କରୁଛି ବୋଲି ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |