କଟକ ( ଉତ୍କଳ ନ୍ୟୁଜ ) ୨୦.୦୭.୨୬ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ (ଓସ୍ନେଲିଆ) ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ୨୦ ତାରିଖରେ ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସୌମେନ୍ଦ୍ର ମିର୍ଦ୍ଧା ଓ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଶ୍ରୀ କମଳାକାନ୍ତ ଓଝାଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ (୪୮୮ ଏବଂ ୬୬୨ ବର୍ଗ) ତା ୦୧.୬.୨୦୦୮ରିଖରୁ ତା୦୧.୬.୨୦୧୮ରିଖ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ପାଇଥିବା ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ନୂତନ ସରକାରୀ ଅନୁଦାନ ଦାବୀରେ ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଅନୁଯାୟୀ ଏହି ଦାବୀ ଦୀର୍ଘଦିନର ଦାବୀ ଅଟେ । ଗତ ୨୦୨୫ ମସିହା ଜୁଲାଇ ମାସରେ ଲୋୟର ପିଏମଜିରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସ୍ୱରୂପ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଓ ମାନ୍ୟବର ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ, ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସହ ସଂଘର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ନୂଆପଡ଼ା ନିର୍ବାଚନ ପରେ ୨୦୦୮-୧୮ ସରକାରୀ ଅନୁଦାନ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ପରବର୍ତ୍ତୀ ଅବସ୍ଥାରେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ସମାଜର ସମସ୍ତ ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୬ ମାସ ମଧ୍ୟରେ ସଂଘର ଦାବି ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ଘୋଷଣା କରିଥିଲେ । ମାତ୍ର ଉକ୍ତ କମିଟି ୬ ମାସ ଅବଧି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବୀ ସମ୍ବନ୍ଧରେ ତଥ୍ୟ ପ୍ରେରଣ କରିଥିବା ବେଳେ ସରକାର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ସମସ୍ୟାକୁ ସମାଧାନ ନ କରି "ଜ୍ଞାନୋଦୟରୁ ଶିକ୍ଷାର ସମୃଦ୍ଧି’ ଯୋଜନାକୁ ତରବରିଆ ଭାବେ ଘୋଷଣା କରିବା ଦ୍ୱାରା ଏହି ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡ଼କୁ ଟାଣି ହୋଇ ଯାଇଛି । ତେଣୁ ସଂଘ ଅଦ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ୨୦୦୮-୧୮ ସରକାରୀ ଅନୁଦାନ ଘୋଷଣା ନିମନ୍ତେ ଦାବିପତ୍ର ପ୍ରଦାନ କରିଅଛି ।ଯଦି ସରକାର ଏହାର ସମାଧାନ ନକରନ୍ତି ତେବେ ମୌସୁମୀ ଅଧିବେଶନରେ ସଂଘ ଲୋୟର ପି.ଏମ.ଜି ରେ ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |