ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ରଥଯାତ୍ରା-୨୦୨୬ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

42

କଟକ ( ଉତ୍କଳ ନ୍ୟୁଜ ). ୦୯-୦୭-୨୦୨୬ : ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର ପରିଚାଳନା କମିଟି,ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ପବିତ୍ର ରଥଯାତ୍ରା–୨୦୨୬ ଉପଲକ୍ଷେ ଶେଷ ପ୍ରସ୍ତୁତି ବୈଠକ ଗୁରୁବାର କଟକ ଦୋଳମୁଣ୍ଡାଇସ୍ଥିତ ଶ୍ରୀ ଜଗନ୍ନାଥ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସମସ୍ତ ପ୍ରସ୍ତୁତି,ଶୃଙ୍ଖଳିତ ପରିଚାଳନା,ସୁରକ୍ଷା ବ୍ୟବସ୍ଥା,ଭକ୍ତମାନଙ୍କ ସୁବିଧା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସହସ୍ର ବର୍ଷର ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବପୁରାତନ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ରଥଯାତ୍ରା ଶାନ୍ତି,ସାମ୍ୟ ଓ ମୈତ୍ରୀର ପ୍ରତୀକ ଭାବେ ପରିଚିତ।ଏହି ଅବସରରେ ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ। ଆସନ୍ତା ୧୬ ଜୁଲାଇ (ଗୁରୁବାର) ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ସୁସଜ୍ଜିତ ତିନୋଟି ରଥରେ ବିରାଜମାନ ହେବେ।ମ୍ୟାନେଜିଂ ଟ୍ରଷ୍ଟି (ରାଜା) ବ୍ରଜ କିଶୋର ପ୍ରଧାନଙ୍କ ଦ୍ୱାରା ଛେରା ପହଁରା ସମ୍ପନ୍ନ ହେବା ପରେ ରଥ ହରିପୁର ରୋଡ଼,ଶିବବଜାର, ସେମିନାରୀ ଛକ ପର୍ଯ୍ୟନ୍ତ ଯାଇ ଫେରି ଚନ୍ଦନ ପଡ଼ିଆସ୍ଥିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ। ସେହିପରି ଆସନ୍ତା ୨୪ ଜୁଲାଇ (ଶୁକ୍ରବାର) ପବିତ୍ର ବାହୁଡ଼ା ଯାତ୍ରାରେ ଚନ୍ଦନ ପଡ଼ିଆରୁ ରଥ ଯାତ୍ରା ଆରମ୍ଭ ହୋଇ ଆଳି ମାର୍କେଟ, ବାଦାମବାଡ଼ି ଟ୍ରାଫିକ ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମନ୍ଦିରକୁ ଫେରିବ।

ନବଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ଚନ୍ଦନ ପଡ଼ିଆରେ ପ୍ରଖ୍ୟାତ ପ୍ରବଚକଙ୍କ ପ୍ରବଚନ ସହ ଲୋକସମ୍ପର୍କ ବିଭାଗ ଓ ରଥଯାତ୍ରା ପ୍ରସ୍ତୁତି କମିଟିର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମ୍ୟାନେଜିଂ ଟ୍ରଷ୍ଟି (ରାଜା) ବ୍ରଜ କିଶୋର ପ୍ରଧାନ, ରଥଯାତ୍ରା ପ୍ରସ୍ତୁତି କମିଟିର ଆବାହକ ହରେକୃଷ୍ଣ ପ୍ରଧାନ (ଅଧିକାରୀ), ସରୋଜ କୁମାର ମୂଳିଆ,କାଳନ୍ଦି ମୂଳିଆ,ନିହାର ରଞ୍ଜନ ମୂଳିଆ,କୈଳାସ ଅଗ୍ରୱାଲଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ,ପୂଜା କମିଟିର କର୍ମକର୍ତ୍ତା ଓ ବହୁ ଭକ୍ତ ଉପସ୍ଥିତ ଥିଲେ।ରଥଯାତ୍ରାକୁ ସରସ,ସୁନ୍ଦର ଓ ସଫଳ କରିବା ପାଇଁ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକମାନେ ଆହ୍ୱାନ କରିଛନ୍ତି।