କଟକ ( ଉତ୍କଳ ନ୍ୟୁଜ ). ୨୭-୦୬-୨୦୨୬ : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାକୁ ନେଇ ଚୁପ ରହିଥିଲା। ଗାଁ ଲୋକେ ହୋହାଲ୍ଲା କରିବା ସହ ଗଣମାଧ୍ୟମରେ ଖବର ପ୍ରସାରଣର ପରେ ଘଟଣା ସ୍ଥଳରେ ପହଂଚିଥିଲା ପୋଲିସ ଓ ସାଇଣ୍ଟିଫିକ ଟିମ୍। ଅଭିଯୁକ୍ତ ଘରୁ ଆସିବା ପରେ କେଉଁ କେଉଁ ସ୍ଥାନକୁ ଯାଇଥିଲା କୁକୁର ତାହା ବାଟ କାଢ଼ି ନେଇଥିଲା। ଏପରିକି ଦୀର୍ଘ ସମୟ ଧରି ମୁନା ପଲାଇ ଘରେ ସନ୍ଧାନୀ କୁକୁର ଘୂରି ବୁଲିଲା ସହ ଅଭିଯୁକ୍ତ ହାପିର ବାଇକ୍ ଓ ଜୋତାକୁ ଠାବ କରାଯାଇଥିଲା। ବୈତରଣୀ ନଦୀ ପଠାରେ ସଂସ୍କାରରେ ଭସାଇ ଦେଇଥିବା ହାଡଖଣ୍ଡ ଠାବ କରିଥିଲା ସନ୍ଧାନୀ କୁକୁର ଓ ସାଇଣ୍ଟଫିକ ଟିମ୍। ଗାଁ ଲୋକଙ୍କ ପକ୍ଷରୁ ଡଙ୍ଗା ଓ ଜାଲ ଦ୍ଵାରା ହାଡକୁ ଠାବ କରା ଯାଇଥିଲା। ପରେ ମାଂସ ଖଣ୍ଡ ଓ ହାଡ଼ ନେଇ ସାଇଣ୍ଟିଫିକ ଟିମ୍ ଫେରିଯାଇଛି। ସୂଚନା ଅନୁଯାୟୀ ଷାଠିବାଙ୍କୁଡା ଗାଁର ସ୍ଵର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପିକୁ ଗତ ୧୭ ତାରିଖ ବୁଧବାର ମଧ୍ୟାହ୍ନ ଗୋଟାଏ ସମୟରେ ସେହି ଗାଁର ମୁନା ପଲାଇ ଓ ତାଙ୍କ ପୁଅ ସ୍ଵୟମ ପଲାଇ ଓ ପରିବାର ଲୋକ ଏକ ଜରୁରୀ ବିଷୟରେ କଥା ହେବାପାଇଁ ତାଙ୍କ ଘରକୁ ଡାକି ନେଇଥିଲେ। ଏପଟେ ହାପିର ମାଆ ଘରେ ରୋଷେଇ କରି ପୁଅର ଫେରିବା ବାଟକୁ ଅନାଇ ଵସି ରହିଥିଲା। ହେଲେ କିଛି ଘଣ୍ଟା ପରେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ସେ ମୁନା ପଲାଇଙ୍କ ବାଡ଼ିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକେ ଗାଁ ଲୋକଙ୍କ ମାଧ୍ୟମରେ ହାପିକୁ ଉଦ୍ଧାର କରିବା ସହ ଗାଁ ଲୋକ ପଞ୍ଚାୟତ ମୁରଵିଙ୍କ ପରାମର୍ଶରେ ହାପିର ଡାକ୍ତର ମାଇନା ନକରାଇ ଶବ ସତ୍କାର କରି ଦେଇଥିଲେ। ହେଲେ ହାପିର ମୋଵାଇଲ ମୃତ୍ୟୁର ରହସ୍ୟ ଖୋଲି ଦେଇଛି। ମୃତକ ସେହି ଗାଁର ହାପି ମୁନା ପଲାଇର ଝିଅକୁ ଭଲ ପାଉଥିବାରୁ ମୁନା ପଲାଇର ପୁଅ ସ୍ଵୟମ ବାରମ୍ବାର ହାପିକୁ ମୋବାଇଲ ମାଧ୍ୟମରେ ଧମକ ଦେବା ସହ ହ୍ଵାଟ୍ସ ଆପରେ ମେସେଜ ଦେଉଥିଲା। ତାହା ସହ ଗତ ୧୭ ତାରିଖରେ ଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ଜାଣିବା ପରେ ହତ୍ୟା ଅଭିଯୋଗ ନେଇ ଆରଡି ଫାଣ୍ଡିରେ ଗତ ୨୧ ତାରିଖ ସଂଧ୍ୟାରେ ଦ୍ଵାରସ୍ଥ ହୋଇଥିଲେ । ହେଲେ ଆରଡି ଫାଣ୍ଡି ଅଧିକାରୀ ଏତଲା ନରଖି ଅଭିଯୋଗକାରୀଙ୍କୁ ଆଇନଗତ ଧମକ ଦେବା ସହ ଓଲଟି ମାମଲା ଦାୟର ପାଇଁ ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଗୁରୁଵାର ସଂଧ୍ୟାରେ ଷାଠିବାଙ୍କୁଡା ଗାଁର ୨ ଶହରୁ ଉର୍ଦ୍ଧ ମହିଳା ପୁରୁଷ ଆରଡି ଫାଣ୍ଡି ସମ୍ମୁଖରେ ନ୍ୟାୟ ପାଇଁ ଗଣଧାରଣା ଦେଇଥିଲେ। ପରେ ପୋଲିସ ଏତଲା ରଖିବା ସହ ଛାନଭିନ୍ନ ଚଳାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପକ୍ଷରୁ ଗ୍ରାଉଣ୍ଡରେ ତନାଘନା ଚଳାଇଛି। ସନ୍ଧାନି କୁକୁର ପକ୍ଷରୁ ମୃତକର ହାଡ଼ ଓ ମାଂସ ଜବତ କରି ବ୍ୟବଛେଦ ପାଇଁ ନିଆ ଯାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।